ଭୁବନେଶ୍ୱର, ସାଂପ୍ରତିକ ୟୁକ୍ରେନ ଓ ରୁଷିଆ ଯୁଦ୍ଧ ପରିସ୍ଥିତିରେ ଖାଇବା ତେଲର ଦରବୃଦ୍ଧି ଘଟିବାରେ ଲାଗିଛି । ଏହାକୁ ନେଇ ରାଜ୍ୟର ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଉଦବେଗ ପ୍ରକାଶ କରିବା ସହ ଖାଇବା ତେଲର କୃତ୍ରିମ ସଙ୍କଟ ଓ କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିବା ସୂଚନା ଦେଇଛନ୍ତି ।
ଶ୍ରୀ ସ୍ୱାଇଁ ଟ୍ୱିଟ କରି କହିଛନ୍ତି ଯେ – ସାଂପ୍ରତିକ ଯୁଦ୍ଧ ପରିସ୍ଥିତିରେ ଅନେକ ଦେଶ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ପ୍ରଭାବିତ ହେଉଛନ୍ତି ଏବଂ ଆଗାମୀ ଦିନରେ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହି ପରିପ୍ରେକ୍ଷୀରେ ଦେଶରେ ଖାଇବା ତେଲ, ବିଶେଷ ଭାବେ ସୂର୍ଯ୍ୟମୁଖ୍ୟ ତେଲର ଦର ବଢିବା ଆଶଙ୍କା ରହିଛି । ବଜାରରେ ଏହାର ପ୍ରଭାବ ଅନୁଭୂତ ହେବା ଆରମ୍ଭ ହୋଇଛି ।
କୃତ୍ରିମ ସଙ୍କଟ ଏବଂ କଳାବଜାରୀ ରୋକିବା ସହ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସେ କହିଛନ୍ତି ଯେ କେନ୍ଦ୍ର ସରକାର ଖାଇବା ତେଲ ଉପରେ ସଂଗ୍ରହ କରୁଥିବା ଆମଦାନୀ ଏବଂ ଅନ୍ୟାନ୍ୟ ଶୁଳ୍କ ଅତିକମରେ ସାମୟିକ ଭାବେ ହ୍ରାସ କରିବା ଉଚିତ । ନ ହେଲେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସର ଦରବୃଦ୍ଧି ସହ ଖାଇବା ତେଲର ଦରବୃଦ୍ଧି ଗରିବ, ଚାଷୀ, ମୁଲିଆ, ଖଟିଖିଆ ଏପରିକି ମଧ୍ୟବିତ୍ତ ପରିବାରଙ୍କ ପାଇଁ ଦୁର୍ବିସହ ହୋଇଯିବ ।