
ଘଟଗାଁ, କେନ୍ଦୁଝର ଜିଲ୍ଲାର ପ୍ରସିଦ୍ଧ ଦେବୀ ପୀଠ ଘଟଗାଁ ସ୍ଥିତ ମା ତାରିଣୀ ମନ୍ଦିରରେ ଭକ୍ତଙ୍କ ନିମନ୍ତେ ରହିଥିବା କଟକଣାରେ କିଛିଟା କୋହଳ କରିଛି ପ୍ରଶାସନ । ଫଳରେ ଆଜି ଠାରୁ ମାଙ୍କ ନିକଟରେ ମାନସିକ ନଡ଼ିଆ ଭୋଗ ଲଗାଇପାରିବେ ଶ୍ରଦ୍ଧାଳୁ । ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧବୃଦ୍ଧା ପର୍ଯ୍ୟନ୍ତ ସମସ୍ତେ ମାଙ୍କ ଦର୍ଶନ କରିପାରିବେ । ତେବେ ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତଙ୍କ ପାଇଁ ମୁହଁରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ଭକ୍ତ ମାନଙ୍କ ପାଇଁ ଭୋଗ ଲଗାଇବା ଧାଡି ଓ ଦର୍ଶନ ଧାଡ଼ି ଅଲଗା ରହିଛି ।
ଆଜି ଭୋରରୁ ମନ୍ଦିର ଦ୍ୱାରଫିଟା, ସ୍ନାନ, ମାଜଣା, ବଡସିଂହାର ବେଶ, ଶୋଡ଼ଷ ଉପଚାର ପୂଜା, ମଙ୍ଗଳ ଆଳତୀ ଓ ଅନ୍ୟାନ୍ୟ ନୀତିକାନ୍ତି ସମାପନ ପରେ ସକାଳ ସାଢ଼େ ୬ଟା ଠାରୁ ସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ରାତି ୮ଟା ପର୍ଯ୍ୟନ୍ତ ଭକ୍ତ ମାନେ ମାଙ୍କ ଦର୍ଶନ କରିପାରିବେ । ଅପରାହ୍ନ ୧ଟାରୁ ସାଢ଼େ ୩ଟା ପର୍ଯ୍ୟନ୍ତ ମାଙ୍କ ବିଶ୍ରାମ ପାଇଁ ଦର୍ଶନ ବନ୍ଦ ରହିବ । ସମସ୍ତ ଭକ୍ତ ଦର୍ଶନ ଓ ମାଙ୍କ ନିକଟରେ ଭୋଗ ଲଗାଇବା ନିମନ୍ତେ ଯଥାକ୍ରମେ ମୁଖଶାଳା ଓ ଟିକେଟ୍ କାଉଂଟର ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି । ଦର୍ଶନ ଓ ଭୋଗ ଲାଗି ପରେ ପ୍ରସ୍ଥାନ ଦ୍ୱାର ଦେଇ ଫେରୁଛନ୍ତି । ବିଶେଷ କରି କରୋନା ସ୍ଥିତିରେ ସୁଧାର ଆସିବା ଏବଂ ସଂକ୍ରମଣର ହାର ହ୍ରାସ ପାଇଥିବାରୁ ପ୍ରଶାସନ ଏହି ନିଷ୍ପତି ନେଇଛି । ଏହା ବ୍ୟତୀତ ମା’ ଙ୍କର ସକାଳ ଆଳତୀ, ଅନ୍ନପ୍ରସାଦ ନୀତି, ସନ୍ଧ୍ୟା ଆଳତୀ ଓ ପହଡ଼ ଆଳତୀ ଯଥାରୀତି ଚାଲୁ ରହିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଗତ ଅଗଷ୍ଟ ୧୦ ତାରିଖ ଠାରୁ ମନ୍ଦିର ଭିତରକୁ ଶ୍ରଦ୍ଧାଳୁ ମାନେ ଭୋଗ, ଫୁଲ, ଫଳ, ଧୂପ, ଦୀପ ଆଦି ପୂଜା ସାମଗ୍ରୀ ନେବା ଉପରେ ପ୍ରଶାସନ ପକ୍ଷରୁ କଟକଣା ରହିଥିଲା । ଏପରିକି ଶିଶୁ ମାନଙ୍କ ଠାରେ ସଂକ୍ରମଣର ଭୟ ଅଧିକ ଥିବାରୁ ଶିଶୁ ଓ ବୟସ୍କ ମାନଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ଜାରୀ କରିଥିଲା ପ୍ରଶାସନ । ହେଲେ ଏବେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ କଟକଣାକୁ କୋହଳ କରାଯାଇଛି । ଯଦ୍ୱାରା ଏବେ ସମସ୍ତ ଭକ୍ତ ମାଙ୍କ ଦର୍ଶନ କରିପାରିବେ ।