ଭୁବନେଶ୍ୱର – ଓଡିଶାରେ ବାତ୍ୟା ସମ୍ପର୍କରେ ନିର୍ଦ୍ଧିଷ୍ଟ ସୂଚନା ନଥିଲେ ହେଁ ସମ୍ଭାବ୍ୟ ବାତ୍ୟା ଓ ବର୍ଷା ର ମୁକାବିଲା ପାଇଁ ୧୫ଟି ଜିଲ୍ଲାର ଜିଲ୍ଲାପାଳମାନେ ପ୍ରସ୍ତୁତ ରହିବାପାଇଁ ନିଦେ୍ର୍ଧଶ ଦିଆଯାଇଛି ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବର୍ଷା ସମ୍ପର୍କରେ ଚାଷୀ ମାନଙ୍କ ପାଇଁ ଆଡଭାଇଜରୀ ଜାରୀ କରିବା ପାଇଁ କୃଷି ମନ୍ତ୍ରୀ ଡ. ଅରୁଣ ସାହୁ ଓୟୁଏଟିକୁ ନିଦେ୍ର୍ଧଶ ଦେଇଛନ୍ତି ।
ଏସଆରସି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ପୁରୀ ,ବାଲେଶ୍ୱର , ଭଦ୍ରକ , କେନ୍ଦ୍ରାପଡା , ଜଗତସିଂହପୁର, ବୌଦ୍ଧ, କୋରାପୁଟ ,ରାୟଗଡା , ନବରଙ୍ଗପୁର, ଗଂଜାମ , ଗଜପତି, ନୂଆପଡା, ମାଲକାନଗିରି,କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ଆଇଏମଡିର ଅନୁମାନ କହୁଛି ଆସନ୍ତା ୭ ତାରିଖରୁ ୧୦ ତାରିଖ ମଧ୍ୟରେ ଉପରୋକ୍ତ ଜିଲ୍ଲା ଗୁଡିକରେ ସ୍ୱଳ୍ପ ରୁ ମଧ୍ୟମ ଧରଣର ବର୍ଷା ହେବ । ଏହାର ପ୍ରଭାବ ଆଭ୍ୟନ୍ତରୀଣ ଓଡିଶାରେ ବିଶେଷ ପଡିବ ନାହିଁ ।
ଉତର ଆଣ୍ଡାମାନରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ବର୍ତମାନ ଏହା ପାରାଦ୍ୱୀପ ଠାରୁ ୯୨୦ କିମି ଦୂରରେ ରହିଛି । ଏହା ପଶ୍ଚିମବଙ୍ଗ ଓ ବାଲାଂଦେଶ ର ମଧ୍ୟ ଭାଗରେ ସ୍ଥଳଭାଗ ଛୁଇଁପାରେ । ୭ ତାରିଖରେ ଘଂଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ । ୯ ତାରିଖ ବେଳକୁ ପବନର ବେଗ ବୃଦ୍ଧି ପାଇ ୫୦ରୁ ୬୦ କିମି ବେଗରେ ବୋହିବ । ବର୍ତମାନ ରାଜ୍ୟର ସବୁ ବିମାନ ବନ୍ଦରରେ ୧ ନମ୍ବର ବିପଦ ସଙ୍କେତ ଜାରୀ କରାଯାଇଛି । ମାଛ ମାରିବାକୁ ସମୁଦ୍ର ମଧ୍ୟକୁ ଯାଇଥିବା ମତ୍ସ୍ୟଜୀବୀମାନେ ୮ ତାରିଖ ସୁଦ୍ଧା ଫେରିଆସିବାକୁ କୁହାଯାଇଛି ।