ଭୁବନେଶ୍ୱର, ନବରଙ୍ଗପୁର ଓ କଳାହାଣ୍ଡିରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ପୂର୍ବାହ୍ନ ୧୧ଟା ୨୩ ମିନିଟ୍ ୩୪ ସେକେଣ୍ଡ ସମୟରେ ନବରଙ୍ଗପୁର ଜିଲ୍ଲାର ଝରିଗାଁ ଓ ଚନ୍ଦାହାଣ୍ଡି ଏବଂ କଳାହାଣ୍ଡି ଜିଲ୍ଲାର କେତେକ ଅଂଚଳରେ ମୃଦୁ ଭୁମିକମ୍ପ ଅନୁଭୂତ ହୋଇଛି । ଏହି ଅଂଚଳରେ କେତେକ ଘରର କାନ୍ଥରେ ଫାଟ ଦେଖିବାକୁ ମିଳିଛି ।
ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଭୂପୃଷ୍ଠର ୯ କିଲୋମିଟର ଗଭୀରରେ ୧୯.୬୦ ଅକ୍ଷାଂଶ ଓ ୮୨.୭୦ ଦ୍ରାଘିମାରେ ଏହି ଭୁମିକମ୍ପ ୬ରୁ ୭ ସେକେଣ୍ଡ ଯାଏ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା ରିକ୍ଟର ସେଲରେ ୩.୫ ଥିବା ଜଣାପଡ଼ିଛି । ପାଖାପାଖି ୧୪ଟି ପଂଚାୟତରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମଧ୍ୟାହ୍ନରେ ଚନ୍ଦାହାଣ୍ଡିରେ ଏକ ପ୍ରଚଣ୍ଡ ଶବ୍ଦ ହେବା ସହ ଘର ଥରିବାକୁ ଲାଗିଥିଲା । ଅଳ୍ପ କିଛି ମାତ୍ର ସେକେଣ୍ଡ ପାଇଁ ଏପରି ଅନୁଭୂତ ହୋଇଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।