ଭୁବନେଶ୍ୱର, ଆଗାମୀ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନ ପାଇଁ ଆଜି ସିପିଆଇର ଦୁଇଜଣ କର୍ପୋରେଟର ପ୍ରାର୍ଥିନୀ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ୯ନମ୍ବର ୱାର୍ଡର ପ୍ରାର୍ôଥନୀ ପାର୍ବତୀ ବାରିକ ଓ ୪୧ନମ୍ବର ୱାର୍ଡର ପ୍ରାର୍ଥିନୀ ମିନତୀ ବେହେରା ସେମାନଙ୍କ ସମର୍ଥକ, ପ୍ରସ୍ତାବକ ଓ ସିପିଆଇର ନେତା ତଥା କର୍ମୀମାନଙ୍କ ସହ ଏକ ଶୋଭାଯାତ୍ରାରେ ପାର୍ଟିର ରାଜ୍ୟ ଦପ୍ତର ଭଗବତୀ ଭବନଠାରୁ ବାହାରି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଂଚିଥିଲେ ।
ସେଠାରେ ସେମାନେ ନିର୍ବାଚନ ଅଧିକାରୀଙ୍କ ନିକଟରେ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କଲା ପରେ ଉପସ୍ଥିତ ସାଥୀ ଓ ସମର୍ଥକମାନଙ୍କୁ ସିପିଆଇର ଭୁବନେଶ୍ୱର ଜୋନ ସମ୍ପାଦକ ସୁର ଜେନା, ଜିଲ୍ଲା ସହସମ୍ପାଦକ ସତୀଶ ମିଶ୍ର, ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ଜୟନ୍ତ ଦାସ, ଅଖିଳ ଭାରତ ଯୁବସଂଘର ନେତା ଗୋହିଗୋବିନ୍ଦ ବେଶ୍ରା, କମ୍ୟୁନିଷ୍ଟ ନେତା ବିଜୟ ମହାନ୍ତି, ଅଶୋକ ସାହୁ, ପଟିଆ ଜୋନ ସମ୍ପାଦକ ଅରକ୍ଷିତ ବେହେରା ଉଦ୍ବୋଧନ ଦେଇ ଭୁବନେଶ୍ୱର ମହାନଗର ନିଗମର ସର୍ବାଙ୍ଗୀନ ବିକାଶ ପାଇଁ ସିପିଆଇ ପ୍ରାର୍ଥୀମାନଙ୍କୁ ଦା’ ଧାନକେଣ୍ଡା ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରିଥିଲେ ।