
ଭୁବନେଶ୍ୱର , ପବିତ୍ର ମହାଶିବରାତ୍ରି ଅବସରରେ ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି । ଭୁବନେଶ୍ୱରର ଶ୍ରୀ ଲିଙ୍ଗରାଜ ମନ୍ଦିରରେ କୋଭିଡ୍ କଟକଣା ଭିତରେ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍ତି । ଆଜି ରାତି ୧୦ ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ । ଜାଗର ଉପଲକ୍ଷେ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜାଗର ଯାତ୍ରା ପାଇଁ ମନ୍ଦିରକୁ ଫୁଲରେ ସଜାଯାଇଛି । ମନ୍ଦିର ଭିତର ଓ ବାହାରକୁ ଅଧିକ ଆକର୍ଷଣୀୟ କରିବା ପାଇଁ ରଙ୍ଗିନ ଆଲୋକମାଳାରେ ସଜା ଯାଇଛି ।
ଜାଗର ପାଇଁ ଭିଡକୁ ଦୃଷ୍ଟିରେ ରଖି ଡିସିପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୬ ଜଣ ଅତିରିକ୍ତ ଡିସିପି,୧୨ ଜଣ ଏସିପି, ୧୯ ଜଣ ଇନ୍ସପେକ୍ଟର, ୮୫ ଅଫିସରଙ୍କ ସହ ପ୍ରାୟ ୨୭ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ଟ୍ରାଫିକ ପରିଚାଳନା ଏକ ବଡ଼ ଚ୍ୟାଲେଞ୍ଜ ଥିବା ବେଳେ ଏ ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି । ଡିସିପି ଏହାର ଦାୟିତ୍ୱ ନେଇଛନ୍ତି । ବ୍ୟବସ୍ଥିତ ଢଙ୍ଗରେ ଆଇନଶୃଙ୍ଖଳା ରକ୍ଷା କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ।