
ଭୁବନେଶ୍ୱର, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡିର ବିପୁଳ ବିଜୟ ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଟୁଇଟରରେ ଲେଖିଛନ୍ତି, ଅକୁଣ୍ଠ ଭଲ ପାଇବା ଦେଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ୨୦୨୨ ରେ ବିଜୁ ଜନତା ଦଳକୁ ବିଜୟୀ କରିଥିବାରୁ ସମସ୍ତଙ୍କୁ ମୋର ଆନ୍ତରିକ ଧନ୍ୟବାଦ । ଏହି ଜନମତ ସେବା ପାଇଁ ଆମ ସଂକଳ୍ପକୁ ଆହୁରି ଦୃଢ଼ କରିଛି । ବିଜୟୀ ଦଳୀୟ ପ୍ରାର୍ଥୀ ଓ ଉତ୍ସର୍ଗୀକୃତ କାର୍ଯ୍ୟ ଜରିଆରେ ବିଜେଡିକୁ ଆନ୍ଦୋଳନରେ ପରିଣତ କରିଥିବା ସମସ୍ତ କର୍ମୀଙ୍କୁ ମୋର ଶୁଭେଚ୍ଛା ।
ଏଯାବତ୍ ଘୋଷିତ ୮୪୫ ଜିଲ୍ଲାପରିଷଦ ଜୋନ୍ ମଧ୍ୟରୁ ବିଜେଡି ୭୫୯, ବିଜେପି ୪୨, କଂଗ୍ରେସ ୩୭, ସ୍ୱାଧୀନ ୩ ଓ ଅନ୍ୟାନ୍ୟ ୪ଟି ଜୋନରେ ବିଜୟୀ ହୋଇଛି । ଆଉ ୬ଟି ଜୋନର ଫଳ ପ୍ରକାଶ ବାକି ଅଛି । ତେବେ ବିଜେଡି ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିବ ବୋଲି ସ୍ପଷ୍ଟ ହୋଇଛି ।