ଭୁବନେଶ୍ୱର, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୮୫୩ ଟି ଜିଲ୍ଲା ପରିଷଦ ଜୋନ୍ ରୁ ୮୫୧ଟିର ଫଳାଫଳ ଘୋଷଣା ହୋଇଛି । ୮୫୧ ଟି ଆସନ ମଧ୍ୟରୁ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ୭୬୫ଟି ଜୋନରେ ବିଜୟୀ ହୋଇ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି । ନିର୍ବାଚନ ପୂର୍ବରୁ ବିଜେଡିର ଜଣେ ପ୍ରାର୍ଥୀ ନିଦ୍ୱନ୍ଦରେ ନିର୍ବାଚିତ ହୋଇସାରିଛନ୍ତି । ଅପରପକ୍ଷରେ ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ଭୋଟରଙ୍କୁ ଆକୃଷ୍ଟ କରିବାରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଭାରତୀୟ ଜନତା ପାର୍ଟି ମାତ୍ର ୪୨ଟି ଜୋନ ରେ ବିଜୟୀ ହୋଇ ପାରିଛି । ସେହିଭଳି କଂଗ୍ରେସ ମାତ୍ର ୩୭ଟି ଆସନରେ ସନ୍ତୁଷ୍ଟ ରହିଛି । ସ୍ୱାଧୀନ ପ୍ରାର୍ଥୀ ୩ଟି ଓ ଅନ୍ୟାନ୍ୟ ଦଳ ୪ଟି ଜୋନରେ ବିଜୟୀ ହୋଇଛନ୍ତି । ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ ୨,୧୦,୨୮,୪୦୩ ଭୋଟ ବୈଧ ହୋଇଥିବା ବେଳେ କେବଳ ବିଜେଡିକୁ ମିଳିଛି ୧,୧୦,୮୯,୭୧୨ ଖଣ୍ଡ ଭୋଟ୍ । ସେହିପରି ବିଜେପିକୁ ୬୩,୨୩,୭୪୬ ଖଣ୍ଡ, କଂଗ୍ରେସକୁ ୨୮,୫୪,୩୯୮,ସ୍ୱାଧୀନ ପ୍ରାର୍ଥୀଙ୍କୁ ୨,୮୧,୨୧୩ ଖଣ୍ଡ ଏବଂ ଅନ୍ୟାନ୍ୟଙ୍କୁ ୪,୭୯,୩୩୪ ଖଣ୍ଡ ଭୋଟ୍ ମିଳିଛି ।
ଉଲ୍ଲେଖଯୋଗ୍ୟ, ୨୦୧୭ ପଂଚାୟତ ନିର୍ବାଚନରେ ବିଜେଡି ୪୭୩ଟି ଜୋନ୍ ରେ ବିଜୟ ଲାଭ କରିଥିବା ବେଳେ ବିଜେପି ୨୯୭ ଏବଂ କଂଗ୍ରେସ ୬୦ ଜୋନ୍ ରେ ବିଜୟୀ ହୋଇଥିଲେ ।