
-
୭ ଗିରଫ, ବନ୍ଧୁକ, ଗୁଳି, ବାଇକ୍ ଓ ଟଙ୍କା ଜବତ
ପୁରୀ, ପୁରୀ ହେବ ବିଶ୍ୱ ସ୍ତରୀୟ ଏତିହ୍ୟ ସହର । ଚକାଚକ ହେବ ସମୁଦ୍ରକୂଳ ସ୍ଥଳପଥ । ଗଢି ଉଠିବ ୧୪ ମହଲା କୋଠା । ସେହି ଅନୁପାତରେ ସହରରେ ବଢି ଚାଲିଛି ଅପରାଧ, ଲୁଟ୍, ରାହାଜାନି, ହତ୍ୟା, ଚୋରି ଓ ଦୁଷ୍କର୍ମ ଘଟଣା । ବିଭିନ୍ନ ଥାନାରେ ସ୍ୱଳ୍ପ ସଂଖ୍ୟକ ପୋଲିସ କର୍ମଚାରୀଙ୍କୁ ନେଇ ଚଲିଛି ଥାନା । ଅପରାଧିମାନେ ବିଭିନ୍ନ ସ୍ଥାନରେ ଅପରାଧ ଘଟଇ ପୋଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । ଯାହାର ନମୁନା ଦେଖିବାକୁ ମିଳିଛି ବଳିଆପଣ୍ଡା ଥାନା ଅଂଚଳରେ । ଏହି ଅଂଚଳରେ ଅନେକ ବେଆଇନ ଲିଜ ଧାରୀ ହୋଟେଲ ଗଢି ଉଠିଛି । ଏହି ହୋଟେଲ ମାନଙ୍କରେ ଅପରାଧିମାନେ ସହରରେ ଘଟୁଥିôବା ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଛନ୍ତି । ଏଥିରେ ସହରର କୁଖ୍ୟାତ ଅପରାଧିମାନେ ସାମିଲ ହେଉଛନ୍ତି । ବଳିଆପଣ୍ଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ସପ୍ତର୍ଷି ହୋଟେଲରେ ଅଚାନକ ଚଢ଼ଉ କରି ୧୫ ଜଣଙ୍କୁ ଉଠାଇ ନେଇଥିଲା । ସେମାନଙ୍କ ମଧ୍ୟରୁ ପୋଲିସ ୭ ଜଣଙ୍କୁ ଗିରଫ କରି ଅନ୍ୟ ୮ ଜଣଙ୍କୁ ଛାଡ଼ି ଦେଇଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ମଧ୍ୟରୁ ଜଣେ ମହିଳା ଅଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ବିମାନବଡ଼ୁ ସାହିର ପୂର୍ଣ୍ଣଚନ୍ଦ୍ର ଦାଶ (୪୮), ତଳୁଚ୍ଛ ସାହିର ମହାବଳ ଓରଫ ଲୋକନାଥ ମିଶ୍ର (୩୧), ମାଟିତୋଟାର ଭବାନିଶଙ୍କର ଦାଶ(୨୪), ଦଇତାପଡ଼ା ସାହିର ରବି ଗୋସ୍ୱାମୀ (୨୦), ଅବକାଶ ଲେନର ରାଜେଶ ସ୍ୱାଇଁ (୨୨), ନରେନ୍ଦ୍ର କୋଣର ଶିବପ୍ରସାଦ ସାହୁ(୩୨) ଓ ହୋଟେଲର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳା ଗିରଫ ହୋଇଛନ୍ତି । ଏ ସମ୍ପର୍କରେ ବଳିଆପଣ୍ଡା ଥାନାରେ ୨୪/୨୨ରେ ମାମଲା ରୁଜୁ କରି ପୋଲିସ ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ପୋଲିସ ଗୋଟିଏ ୯ ଏମଏମ ଫିସ୍ତଲ, ୨ଟି ଅଫୁଟା ଗୁଳି, ଗୋଟିଏ ଦେଶୀ ବନ୍ଧୁକ, ୩ଟି ବାଇକ୍, ୮ ଟି ମୋବାଇଲ ଓ ନଗଦ ୭୨ ହଜାର ଟଙ୍କା ଜବତ କରିଛି ।