
ଭୁବନେଶ୍ୱର, ଆସନ୍ତାକାଲି (ସୋମବାର)ଠାରୁ ଖୋଲିବ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ । ଏଥିସହ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପର୍ଯ୍ୟାୟ କ୍ଲାସରୁମ ପାଠପଢା ମଧ୍ୟ ଆରମ୍ଭ ହେବ । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ବିଭାଗୀୟ ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ।
ଶ୍ରୀ ଦାଶ କହିଛନ୍ତି ଯେ ସ୍କୁଲ ଖୋଲିବା ନେଇ ଗତ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ନିଆଯାଇଥିଲା । ଆସନ୍ତାକାଲି ଠାରୁ ପ୍ରଥମ ରୁ ସପ୍ତମ କ୍ଲାସ ଖୋଲିବ । ସ୍କୁଲ ଖୋଲିଲେ ମଧ୍ୟ ପ୍ରଥମ ସପ୍ତାହରେ କେବଳ ବିଭିନ୍ନ ଆକ୍ଟିଭିଟି କରାଯିବ, ପାଠ ପଢ଼ାଯିବ ନାହିଁ । ଏହାସହ ପ୍ରଥମରୁ ପଂଚମ ଛାତ୍ରଛାତ୍ରୀ ପ୍ରାୟ ଦୁଇ ବର୍ଷ ହେବ ଶ୍ରେଣୀ ଶିକ୍ଷା ଗ୍ରହଣ କରି ନାହାନ୍ତି । ଏଥିପାଇଁ ସ୍ୱତନ୍ତ୍ର ପୁସ୍ତିକା ପ୍ରକାଶ କରାଯାଇ ପିଲାଙ୍କ କୋର୍ସରେ ସାମିଲ ହେବ । ଫଳରେ ଦୁଇ ବର୍ଷ ହେବ ଶ୍ରେଣୀ ପାଠପଢ଼ା ଦୂରରେ ଥିବା ପିଲାମାନେ ପଛେଇ ଯିବେ ନାହିଁ । ଜିଲ୍ଲା ଓ ବ୍ଲକ ଶିକ୍ଷା ଅଧିକାରୀମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିଛନ୍ତି । ନିର୍ବାଚନ ହୋଇଥିବାରୁ ସ୍କୁଲ କ୍ୟାମ୍ପସକୁ ବିଶୋଧନ କରାଯାଇଛି । ପିଲାଙ୍କ ଉପସ୍ଥାନ ଯେପରି ବଢ଼ିବ ସେଥିପାଇଁ ଅଭିଭାବକଙ୍କ ସହ ବୈଠକ କରାଯାଇଛି । ପିଲାଙ୍କ ସୁରକ୍ଷା ଆମର ପ୍ରଥମ କର୍ତବ୍ୟ ରହିବ । ଦଶମ ଓ ଦ୍ୱାଦଶ ପରୀକ୍ଷା ନେଇ ସେ କହିଛନ୍ତି ଯେ ଇତି ମଧ୍ୟରେ ଉଭୟ ପରୀକ୍ଷା ନେଇ ସମୀକ୍ଷା କରାଯାଇଛି । ମାଧ୍ୟମିକ ଶିକ୍ଷା ପରିଷଦ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ଅଂଶୀଦାରଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଦୁଇ ବୋର୍ଡ଼ ରିପୋର୍ଟ ଆଧାରରେ ପରୀକ୍ଷା ନିଷ୍ପତି ନିଆଯିବ ବୋଲି ସେ କହିଛନ୍ତି ।