
ବଲାଙ୍ଗିର, ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବା ବେଳେ ପ୍ରିୟଜନଙ୍କ ସୁରକ୍ଷା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି ପରିବାର ଲୋକେ । ସେଠିକାର ପରିସ୍ଥିତି ସଙ୍ଗିନ ଥିବା ନିକଟରେ ୟୁକ୍ରେନରୁ ଫେରିଥିବା ବଲାଙ୍ଗିରର ଛାତ୍ର ଜୟଶଙ୍କର ପଟେଲ କହିଛନ୍ତି । ୟୁକ୍ରେନରେ ଫସି ରହିଛନ୍ତି ବର୍ତ୍ତମାନ ହଜାର ହଜାର ଭାରତୀୟ । ଯେଉଁ ମାନଙ୍କ ମଧ୍ୟରେ ରହିଛନ୍ତି ଭାରତର ଅନେକ ଛାତ୍ରଛାତ୍ରୀ ଓ ବ୍ୟବସାୟୀ । ତେବେ ନିକଟରେ ଭାରତୀୟ ଦୂତାବାସର ସହଯୋଗରେ ସେଠାରୁ ଫେରିଛନ୍ତି କିଛି ଛାତ୍ରଛାତ୍ରୀ । ଯେଉଁ ମାନଙ୍କ ମଧ୍ୟରେ ରହିଛନ୍ତି ବଲାଙ୍ଗିର ଟାଉନସ୍ଥିତ ରାଧାରାଣୀ ପଡାର ସୁଲତା ପଟେଲ ଓ ସିଦ୍ଧାର୍ଥୀ ପଟେଲଙ୍କ ପୁଅ ଜୟଶଙ୍କର ପଟେଲ ।
ଜୟଶଙ୍କର ୟୁକ୍ରେନର ଡେନିପ୍ରୋ ରାଜ୍ୟ ୟୁନିଭରସିଟିର ଏମବିବିଏସ ପଞ୍ଚମ ବର୍ଷ ଛାତ୍ର । ୟୁକ୍ରେନ-ରୁଷ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା ପରେ ସେ କୌଣସି ମତେ ବିମାନରେ ସ୍ଥାନ ପାଇ ବଲାଙ୍ଗିର ଫେରି ଆସିଛନ୍ତି । ୟୁକ୍ରେନରେ ଆହୁରି ହଜାର ହଜାର ଛାତ୍ରଛାତ୍ରୀ ବିଭିନ୍ନ ରାଜ୍ୟରେ ଫସି ରହିଥିବା କହିଛନ୍ତି ଜୟଶଙ୍କର । ଯୁଦ୍ଧପାଇଁ ଲୋକେ ଜରୁରୀ ସାମଗ୍ରୀ କିଣିବା ପାଇଁ ନାହିଁ ନଥିବା ଅସୁବିଧାରର ସମ୍ମୁଖୀନ ହେଉଛନ୍ତି । ଏପରିକି ଅନେକ ସ୍ଥାନରେ ଦଳା ଚକଟା ପରିସ୍ଥିତି ଦେଖିବାକୁ ମିଳିଥିବା ସେ କହିଛନ୍ତି । ସେହିପରି ତାଙ୍କ ସାଙ୍ଗମାନେ ଥିବା କିଛି ଜାଗାରେ ଗୁଳି ଚାଳନା ସହ କ୍ଷେପଣାସ୍ତ୍ର ମାଡ଼ ହୋଇଛି । ସେମାନେ ଅତି ଭୟଭୀତ ଅବସ୍ଥାରେ ରହୁଛନ୍ତି । କୌଣସି ମତେ ସରକାର ସମସ୍ତଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ଜୟଶଙ୍କର ନେବେଦନ କରିଛନ୍ତି ।