-
ବୃଦ୍ଧାଙ୍କୁ ନିର୍ମମ ହତ୍ୟା
ଅଳକାପୁରୀ ସପ୍ତମ ଲାଇନ୍ରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ବିଜୟ ବେହେରା ଓ ପତ୍ନୀ ସୁରଜା ରହୁଥିଲେ। ତାଙ୍କର ପୁଅ ରଂଶ୍ମିରଂଜନ ବେହେରାଙ୍କ ଗତ ପ୍ରାୟ ୧ମାସ ତଳେ ବାହାଘର ହୋଇଛି। ପୁଅ ଭୁବନେଶ୍ବରରେ ଚାକିରି କରୁଥିବାରୁ ସେ ସେଠାରେ ପତ୍ନୀଙ୍କ ସହିତ ରହୁଛନ୍ତି। ଗତକାଲି ସଂଧ୍ୟାରେ ବିଜୟ କୌଣସି କାମରେ ବାହାରକୁ ଯାଇଥିଲେ। କିଛି ସମୟ ପରେ ସେ ତାଙ୍କ ପତ୍ନୀ ସୁରଜାଙ୍କୁ ଫୋନ୍ କରିଥିଲେ। ହେଲେ ସୁରଜା ଫୋନ୍ ଉଠାଇ ନଥିଲେ। ଏଥିରେ ବ୍ୟସ୍ତ ହୋଇ ବିଜୟ ପୁଅକୁ ଫୋନ୍ କରିଥିଲେ। ରାତି ପ୍ରାୟ ୮ଟା ବେଳେ ବିଜୟ ଘରକୁ ଫେରିଥିଲେ। ଘରକୁ ଫେରି ଦେଖିବା ବେଳେ ଘରର ମୁଖ୍ୟ ଫାଟକରେ ତାଲା ପଡ଼ିଛି। ଏଣୁ ସେ ପଡ଼ୋଶୀଙ୍କୁ ଡାକି ତାଲା ଭାଙ୍ଗି ଭିତରକୁ ପଶିଥିଲେ। ଭିତରକୁ ଯିବା ପରେ ଖଟ ଉପରେ ସୁରଜାଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ସୁରଜାଙ୍କ ବାମ ହାତର ଛିର କଟା ଯାଇଥିବା ବେଳେ ବେକ ମଧ୍ୟ କଟା ଯାଇଥିବା ଦେଖିବାକୁ ପାଇଥିଲେ। ଏ ନେଇ ସେ ତୁରନ୍ତ ପୁଲିସକୁ ଖବର କରିଥିଲେ। ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ପରେ ଘରୁ କୌଣସି ସାମଗ୍ରୀ ଚୋରି ହୋଇ ନଥିବା ପୁଲିସ କହିଛି। ଏଣୁ ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ହୋଇ ନଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି। କେବଳ ସୁରଜାଙ୍କ ମୋବାଇଲ୍ ଫୋନ୍ ଗାଏବ ରହିଛି। କିଏ ଓ କାହିଁକି ସୁରଜାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କଲା ସେ ଦିଗରେ ପୁଲିସ ତଦନ୍ତ ଜାରି ରଖିଛି। ଘଟଣାସ୍ଥଳରୁ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୁଲିସ ବିଭିନ୍ନ ନମୁନା ସଂଗ୍ରହ କରିଛି।