ଗଞ୍ଜାମ, ଗଞ୍ଜାମ ଜିଲ୍ଲାରେ ଆଜି ଶେଷ ପର୍ଯ୍ୟାୟ ତ୍ରିସ୍ତରିୟ ପଚାଂୟତ ନିର୍ବାଚନ ଅନୁଷ୍ଠିତ ହୋଇଛି । ବେଗୁନିଆପଡ଼ା, ଆସିକା ଓ ଭଞ୍ଜନଗର ବ୍ଲକରେ ଭୋଟର ମାନେ ମତଦାନ କରିଛନ୍ତି । ୧୦ଟି ଜିଲ୍ଲା ପରିଷଦ ଜୋନ୍ ପାଇଁ ୩୩ ପ୍ରାର୍ଥୀଙ୍କ ସମେତ ୭୨ ପଚାଂୟତର ସରପଂଚ ଓ ୧୯୨ ସମିତିସଭ୍ୟଙ୍କ ଭାଗ୍ୟ ଭୋଟ ବାକ୍ସ ମଧ୍ୟରେ ବନ୍ଦ ରହିଛି । ସମୁଦାୟ ୧୦୫୧ ଟି ବୁଥରେ ମତଦାନ ବ୍ୟବସ୍ଥା ହୋଇଥିବା ବେଳେ ସେଥିମଧ୍ୟରୁ ୭୦ଟି ବୁଥ୍ ସମ୍ବେଦନଶିଳ ଓ ୭୬ଟି ଅତିସମ୍ବେଦନଶିଳ ବୁଥ୍ ରହିଛି । ସମସ୍ତ ବୁଥ୍ ରେ ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ବେଗୁନିଆପଡା ବ୍ଲକ ଅଧିନ ୩ଟି ଜିଲ୍ଲା ପରିଷଦ ଜୋନ୍ ରେ ୧୦ ଜଣ ପ୍ରାର୍ଥୀ, ୮୦ ଜଣ ସରପଂଚ ଓ ୫୨ ଜଣ ସମିତି ସଭ୍ୟ ପ୍ରାର୍ଥୀ ରହିଛନ୍ତି । ସେହିପରି ଆସିକା ବ୍ଲକ ଅଧିନ ୪ଟି ଜିଲ୍ଲା ପରିଷଦ ଜୋନ୍ ରେ ୧୨ ଜଣ ପ୍ରାର୍ଥୀ, ୧୦୬ ଜଣ ସରପଂଚ ପ୍ରାର୍ଥୀ, ୮୮ ଜଣ ସମିତି ସଭ୍ୟ ପ୍ରାର୍ଥୀ ରହିଛନ୍ତି ।
ସେହିପରି ଭଞ୍ଜନଗର ବ୍ଲକ ଅଧିନ ୩ଟି ଜିଲ୍ଲା ପରିଷଦ ଜୋନ୍ ରେ ୧୧ ଜଣ ପ୍ରାର୍ଥୀ, ୬୨ ଜଣ ସରପଂଚ ପ୍ରାର୍ଥୀ ଏବଂ ୫୨ ଜଣ ସମିତି ସଭ୍ୟ ପ୍ରାର୍ଥୀ ରହିଛନ୍ତି । ତେବେ ଆଜିର ଏହି ନିର୍ବାଚନରେ କାଁ ଭାଁ ଉତେଜନାମୂଳକ ପରିସ୍ଥିତି ଦେଖାଦେଇଥିଲେ ମଧ୍ୟ ପ୍ରାୟତଃ ଶାନ୍ତିଶୃଙ୍ଖଳା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି ।