-
ପୁରୀ ଜିଲ୍ଲାରେ ୩୩ ଜିଲ୍ଲା ପରିଷଦ, ୨୬୮ ସରପଂଚ ଓ ସମିତି ସଭ୍ୟ, ୩୮୦୪ ୱାର୍ଡମେମ୍ବର ନିର୍ବାଚିତ ହେବେ
ପୁରୀ, ତ୍ରିସ୍ତରୀୟ ପଚାଂୟତ ନିର୍ବାଚନ ଆଜି କାକଟପୁର, ଅସ୍ତରଙ୍ଗ ବ୍ଲକରେ ଶେଷ ହୋଇଛି । ଏବେ ସବୁ ନେତାଙ୍କ ଭାଗ୍ୟ ଭୋଟ୍ ବାକ୍ସରେ ବନ୍ଦ ହୋଇ ରହିଛି । ଜିଲ୍ଲା ପରିଷଦ ଜୋନ୍ ଅନୁଯାୟୀ ପ୍ରତି ବ୍ଳକରେ ୨୬ରୁ ୨୮ ତିନି ଦିନ ଧରି ଭୋଟ ଗଣତି କରାଯିବ । ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୂର୍ବରୁ ପଚାଂୟତରେ ୱାର୍ଡମେମ୍ବର, ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ଭୋଟ ଗଣାଯାଇ ସେହି ସ୍ଥାନରେ ଘୋଷଣା କରାଯାଇଥିଲା । ଚଳିତ ବର୍ଷ ବ୍ଳକରେ ସବୁ ପ୍ରାର୍ଥୀଙ୍କ ଭୋଟ ଗଣତି ହେଉଥିବାରୁ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ଗହଳି ବଢିବାର ସମ୍ଭାବନା ରହିଛି । ପୁରୀ ଜିଲ୍ଲାର ୧୧ଟି ବ୍ଲକରେ ୩୩ଟି ଜିଲ୍ଲା ପରିଷଦ ଜୋନ୍ ରହିଛି । ୧୧ଟି ବ୍ଳକ ପାଇଁ ୧୧ଜଣ ଚେୟାରମ୍ୟାନ ବଛାଯିବେ । ସେହିପରି ୩୩ ଜିଲ୍ଲା ପରିଷଦ ସଭ୍ୟ ମଧ୍ୟରୁ ଦଳୀୟ ଭିତିରେ ଜଣେ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ବଛାଯିବ । ଚଳିତ ନିର୍ବାଚନରେ ବି.ଜେ.ଡି ବି.ଜେ.ପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହେଉଥିବାବେଳେ କାଁ ଭାଁ କଂଗ୍ରେସର ପ୍ରାର୍ଥୀ ରହିଛନ୍ତି । ପ୍ରଥମ ଥର ପାଇଁ ଆମ୍ ଆଦମୀ ପାର୍ଟି (ଆପ୍) ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ୍ ଓ ଝାଡୁ ଚିହ୍ନକୁ ଜିଲ୍ଲା ସାରା ପ୍ରଚାର କରେଇବା ପାଇଁ ସମର୍ଥ ହୋଇଛନ୍ତି । ଗାଁ ବିକାଶର ଚାବିକାଠି ସରପଂଚଙ୍କ ହାତରେ ରହିଥିବାରୁ ଏଥର ସରପଂଚ ପଦବୀ ପାଇଁ ତୀବ୍ର ପ୍ରତିଦ୍ୱନ୍ଦିତା ହୋଇଛି ।