ମାଲକାନଗିରି, ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବାଇକ୍ ଚୋରି ଘଟଣା । ଜିଲ୍ଲାରେ ପ୍ରତ୍ୟେକ ସପ୍ତାହରେ ପୋଲିସ ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ଠାବ କରୁଥିବା ବେଳେ ଏହାକୁ ରୋକିବା ନେଇ ସବୁବେଳେ ତତ୍ପର ରହୁଥିବା ଦେଖିବାକୁ ମିଳିଛି । କିନ୍ତୁ, ଗତ କିଛି ମାସ ମଧ୍ୟରେ ବାଇକ୍ ଚୋରି ଘଟଣା ପୋଲିସର ମୁଣ୍ଡବିନ୍ଧାର କାରଣ ସାଜିଛି । ଏହିପରି ଏକ ବାଇକ୍ ଚୋରି ଘଟଣା ମାଲକାନଗିରି ସଦର ସ୍ଥିତ ଶ୍ରୀରାମ ଫାଇନାନ୍ସ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ।ଗତକାଲି ରାତିରେ ଅଫିସ ସମ୍ମୁଖରେ ରଖାଯାଇଥିବା ୨ ଟି ବାଇକ୍ କୁ ୨ ଯୁବକ ଚୋରିକରି ନେଉଥିବା ସିସି ଟିଭି କ୍ୟାମେରାରେ ଦେଖିବାକୁ ମିଳିଛି ।
ବାଇକ୍ ମାଲିକଙ୍କ କହିବା ଅନୁଯାୟୀ, ଗତକାଲି ରାତିରେ କାମ ସାରି ଅଫିସ୍ ସମ୍ମୁଖରେ ବାଇକ୍ ରଖି ସେମାନେ ଶୋଇପଡ଼ିଥିଲେ ଏବଂ ସକାଳୁ ଉଠି ଦେଖିଲା ବେଳକୁ ତାଙ୍କ ବାଇକ୍ ଗୁଡ଼ିକ ସେହି ସ୍ଥାନରେ ନଥିଲା । ଯାହାପରେ ସେମାନେ ସଙ୍ଗେ ସଙ୍ଗେ ସିସିଟିଭି ଟିଭି ଯାଞ୍ଚ୍ କରିଥିଲେ । ଯାଞ୍ଚ୍ କରିବା ପରେ ଦୁଇ ଜଣ ଯୁବକ ବାଇକ୍ ନେଉଥିବା ଦେଖିବାକୁ ମିଳିଥିଲା । ପ୍ରଥମ ବାଇକ୍ ମାନଵ୍ ନନ୍ଦୀ (୨୪) ନାମକ ଜଣେ ଯୁବକଙ୍କ ବଜାଜ୍ ପଲସର୍ ଏନ୍ଏସ୍ ୨୦୦ ଏବଂ ଅନ୍ୟ ଜଣେ ବ୍ୟକ୍ତି ସୁଶାନ୍ତ ବେହେରାଙ୍କ ବଜାଜ୍ ପଲସର୍ ୧୫୦ ବୋଲି ଜଣାପଡ଼ିଛି। ତେବେ ଏହି ଘଟଣା ନେଇ ଥାନାରେ ଏକ ଚୋରି ମାମଲା ରୁଜୁ କରାଯାଇଥିବା ବେଳେ ବାଇକ୍ ଜବତ କରିବା ନେଇ ତନାଘନା ଚାଲିଥିବା ପୋଲିସ ପକ୍ଷରୁ କୁହାଯାଇଛି ।