
ବଲାଙ୍ଗିର, ଶାନ୍ତି ଶୃଙ୍ଖଳାର ସହିତ ଚାଲିଛି ବଲାଙ୍ଗିର ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ । ଆଗରୁ ୩ଟି ପର୍ଯ୍ୟାୟରେ ଦାଦନ ପ୍ରବଣ ନକ୍ସଲ ପ୍ରବଣ ଅଞ୍ଚଳରେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସରିଥିବା ବେଳେ ଏବେ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରେ ଆଜି ଭୋଟ୍ ଚାଲିଛି । ମତଦାନ ପାଇଁ ଆଜି ସକାଳୁ ସଦର ସବଡିଭିଜନ ଅଞ୍ଚଳରେ ଭୋଟରଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି । ଆଜି ଜିଲ୍ଲାର ବଲାଙ୍ଗିର ସଦର, ଦେଓଗାଁ ଓ ଗୁଡ଼ଭେଲା ବ୍ଲକରେ ୬ ଟି ଜିଲ୍ଲା ପରିଷଦ, ୬୪ ଗ୍ରାମପଞ୍ଚାୟତ, ୭୬୦ ଟି ୱାର୍ଡ଼ ସଭ୍ୟ ପାଇଁ ୧ ଲକ୍ଷ ୯୫ ହଜାର ୭୧୩ ଭୋଟର ମତଦାନ କରିବେ । ଅଂଚଳର ୭୬୦ ଟି ବୁଥ୍ ମଧ୍ୟରୁ ୬୯ ଉତ୍ତେଜନା ପ୍ରବଣ ଓ ୨୬ ଟି ଅତି ଉତ୍ତେଜନା ପ୍ରବଣ ବୁଥ୍ ରହିଛି । ଚତୁର୍ଥ ପର୍ଯ୍ୟାୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଅତି ଉତ୍ତେଜନା ପ୍ରବଣ ବୁଥ୍ ରେ ଅତିରିକ୍ତ ବ୍ୟବସ୍ଥା ସହିତ ସିସିଟିଭି ବ୍ୟବସ୍ଥା ହୋଇଛି ।
ଭୋଟ ଗ୍ରହଣ ବେଳେ ବିଭିନ୍ନ ବୁଥ୍ ରେ ଶାନ୍ତି ଶୃଙ୍ଖଳାରେ ମତଦାନ ଚାଲିଥିବା ଖବର ଆସୁଛି । ଏହି ତିନୋଟି ଯାକ ବ୍ଲକରେ ରାଜନୈତିକ ପତିଆରାର ବିଶେଷ ଫାଇଟିଂ ଦେଖିବାକୁ ମିଳିଛି । ରାଜନୈତିକ ବାତାବରଣ ଅନୁସାରେ ସମ୍ପୃକ୍ତ ତିନୋଟି ବ୍ଲକର ଫଳାଫଳ ବିଶେଷ ଗୁରୁତ୍ୱ ବହନ କରୁଥିବା ଯୋଗୁଁ ତିନୋଟି ବ୍ଲକ୍ ର ବିଭିନ୍ନ ଅଂଚଳରେ ବିଜେଡ଼ି, ବିଜେପି ଓ କଂଗ୍ରେସ ଦଳର ତୁଙ୍ଗ ନେତାମାନଙ୍କୁ ଭୋଟ୍ ପ୍ରଚାର ପାଇଁ ହେଭିୱେଟ ନେତା ମନ୍ତ୍ରୀ ବାରମ୍ବାର ଏହି ଅଞ୍ଚଳରେ ବିଭିନ୍ନ ସମୟରେ ଘର ଘର ବୁଲି ଭୋଟ୍ ପାଇଁ ଅନୁରୋଧ କରୁଥିବା ଦେଖିବାକୁ ମିଳିଥିଲା । ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବେଦନଶୀଳ ତଥା ଅତି ସମ୍ବେଦନଶୀଳ ବୁଥ୍ ଗୁଡ଼ିକୁ ଚିହ୍ନଟ କରାଯାଇ ଉଚିତ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ସୁରୁଖୁରୁରେ କିପରି ନିର୍ବାଚନ ସରିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ଏଥରର ନିର୍ବାଚନରେ ପିଙ୍କ୍ ବୁଥ ଗୋଟିଏ ନୂଆ ଅନୁଭୂତି । ବହୁତ ମହିଳା ଏଥିପ୍ରତି ଆକର୍ଷିତ ହେଉଥିବା ବେଳେ ଭୋଟ ସହିତ ସେଲ୍ଫି ନେବାରେ ମନୋନିବେଶ କରୁଥିବା ଦେଖାଯାଉଛି।