ସାଲେପୁର, କଟକ ଜିଲ୍ଲାର ସାଲେପୁର ଓ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଭୁକ୍ତ ସମସ୍ତ ପଂଚାୟତ ସମେତ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଶେଷ ହୋଇଯାଇଛି । ବାକି ଅଛି ଭୋଟ ଗଣତି । ଆସନ୍ତା ୨୬ ତାରିଖରେ ନିଶ୍ଚିନ୍ତକୋଇଲି ବ୍ଲକ ଜିଲ୍ଲାପରିଷଦ ଜୋନ୍ ନଂ ୨୪ ସମେତ ଏହି ଜୋନ୍ ଅନ୍ତର୍ଭୁକ୍ତ ସମସ୍ତ ୮ ଗୋଟି ପଂଚାୟତ ଯଥା ଫଗୋଳ, ଜିଗ୍ନିପୁର, ନିଶ୍ଚିନ୍ତକୋଇଲି, ରାମକୃଷ୍ଣପୁର, ବଡକ୍ଷୀର, ବରାଦୋ, ଜୟରାମପୁର ଓ ନତକାଇ ପଂଚାୟତର ୱାର୍ଡସଭ୍ୟ, ସରପଂଚ, ସମିତିସଭ୍ୟ ଓ ଜିଲ୍ଲାପରିଷଦ ସଭ୍ୟଙ୍କର ଭୋଟଗଣତି ହେବ । ଗଣତି ତାରିଖକୁ ଆଉ ଚାରି ଦିନ ବାକି ଥିଲା ବେଳେ ଏବେଠାରୁ ପ୍ରମୁଖ ରାଜନୈତିକ ଦଳ, ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥୀନୀମାନଙ୍କ ସହିତ ସ୍ଥାନୀୟ ଅଂଚଳର ରାଜନୈତିକ ବିଶେଷଜ୍ଞ, ବୁଦ୍ଧିଜୀବୀ ଓ ସାଧାରଣ ଭୋଟରଙ୍କ ମଧ୍ୟରେ କେଉଁ ଦଳ ଓ କେଉଁ ପ୍ରାର୍ଥୀ ପ୍ରାର୍ଥୀନୀ କିଏ କେତେ ଭୋଟ ପାଇବେ, କିଏ ବିଜୟୀ ହେବ ବା କିଏ ପରାଜୟ ବରଣ କରିବ ତାହାର ଅଙ୍କକଷା ସ୍ଥାନୀୟ ଅଂଚଳରେ ଜୋରଦାର ଚାଲିଛି ।
ରାଜନୈତିକ ବିଶେଷଜ୍ଞଙ୍କ ଗଣନା ଅନୁଯାୟୀ, ଏହି ୨୪ ନଂ ଜିଲ୍ଲାପରିଷଦ ଜୋନ୍ ଆସନଟି ଭାରତୀୟ ଜନତା ପାର୍ଟିର ସପକ୍ଷରେ ଯିବ ବୋଲି ଶୁଣିବାକୁ ମିଳୁଥିବା ବେଳେ ଏହି ଜୋନ୍ ଅନ୍ତର୍ଗତ ୮ ଗୋଟି ପଞ୍ଚାୟତ ମଧ୍ୟରୁ ୪ ରୁ ୫ ଗୋଟି ପଂଚାୟତରେ ସରପଂଚ ପଦବୀ ଅସନ୍ତୁଷ୍ଟ ବିଜେଡି, ବିଜେପି ସମର୍ଥୀତ ଓ ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥୀନୀଙ୍କ ଆଡକୁ ଯିବ ବୋଲି ଛକ ବଜାରରେ ଚର୍ଚ୍ଚା ହେଉଛି । ସେହିପରି ୨୫ ନଂ ଜୋନ୍ ରେ ନେମାଳ, ତିଲକଣା, କେନ୍ଦୁପାଟଣା, କୋଲଣପୁର, ପାଳଦା, ସାନ୍ତପୁର, କଳମିଶ୍ରି, ଜନାର୍ଦ୍ଦନପୁର, ବନ୍ଧୁପୁର ପଂଚାୟତର ଭୋଟ ଗଣତି ୨୭ ତାରିଖ ଦିନ ଅନୁଷ୍ଠିତ ହେବ । ଏହି ସବୁ ପଞ୍ଚାୟତରେ ନିର୍ବାଚନ ଲଢୁଥିବା ସରପଞ୍ଚ, ସମିତିସଭ୍ୟ କାହା ସପକ୍ଷରେ କେତେ ଭୋଟ୍ ଯାଇଛି ତାକୁ ନେଇ ଚର୍ଚ୍ଚା ଚଳାଇଛନ୍ତି ।