
-
ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ସୁମିତଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଗଞ୍ଜାମ, ବ୍ରହ୍ମପୁର ବ୍ରହ୍ମାନଗରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ଦାଶଙ୍କ ପାରିବାରିକ ବିବାଦ ମାମଲା ଆଉ ଏକ ନୂଆ ମୋଡ଼ ନେଇଛି । ଡାକ୍ତର ସୁମିତଙ୍କ ପକ୍ଷରୁ ପତ୍ନୀ ତପସ୍ୱିନୀଙ୍କୁ ଦିଆଯାଉଥିବା ପ୍ରତି ମାସର ଭରଣପୋଷଣ ଖର୍ଚ୍ଚ ୧୭ ହଜାରରୁ ୧୦ ହଜାର ଟଙ୍କାକୁ ହ୍ରାସ କରିଛନ୍ତି ହାଇକୋର୍ଟ । ତପସ୍ୱିନୀଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ତପସ୍ୱିନୀଙ୍କ ପାଇଁ ଅନ୍ୟତ୍ର ରହିବା ବ୍ୟବସ୍ଥା କରାଯାଇଥିବାରୁ ଏହି ଟଙ୍କା ହ୍ରାସ କରାଯାଇଥିବା କୋର୍ଟଙ୍କ ପକ୍ଷରୁ କୁହାଯାଇଛି । ହାଇକୋର୍ଟରେ ମାମଲାର ପରବର୍ତି ଶୁଣାଣି ପର୍ଯ୍ୟନ୍ତ ତପସ୍ୱିନୀ ଶାଶୂଘରେ ରହିବେ । ଏହି ସୂଚନା ଦେଇଛନ୍ତି ତପସ୍ୱିନୀଙ୍କ ଓକିଲ ମାନସ ଚାନ୍ଦ ।
ପ୍ରକାଶ ଥାଉକି, ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଜିଲ୍ଲା ଜଜକୋର୍ଟ ପୂର୍ବରୁ ତପସ୍ୱିନୀଙ୍କ ଭରଣପୋଷଣ ପାଇଁ ମାସିକ ୧୭ ହଜାର ଟଙ୍କା ଦେବାକୁ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହି ଅନୁଯାୟୀ ସୁମିତ ଚଳିତ ମାସରେ ଏ ବାବଦରେ କୋର୍ଟରେ ୧୭ ହଜାର ଟଙ୍କା ଦାଖଲ କରିଛନ୍ତି । ଏବଂ ପତ୍ନୀ ତପସ୍ୱିନୀ ଗତକାଲି ଏହି ୧୭ ହଜାର ଟଙ୍କାର ଚେକ୍ ଜଜକୋର୍ଟରୁ ଗ୍ରହଣ କରିସାରିଛନ୍ତି ।