ଜଟଣୀ – ଜଟଣୀ ବ୍ଲକ କାର୍ଯ୍ୟାଳୟ ସଭା ଗୃହ ଠାରେ ବ୍ଲକ ସ୍ତରୀୟ ମାହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା ଭିତିକ ଯୁଗ୍ମ ଜନ ଶୁଣାଣୀ ଖୋର୍ଦ୍ଧା ଅତିରିକ୍ତ ଜିଲାପାଳ ମନୋରଂଜନ ମଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ମାହାରୀ, ସହକାରୀ ଯନ୍ତ୍ରୀ ବିନୋଦ କୁମାର ମହାପାତ୍ର, ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ ଚନ୍ଦନ କୁମାର ଭଂଜ, ସମସ୍ତ ଗ୍ରାମ ପଚାଂୟତର ପଚାଂୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ, ବ୍ଲକ ସାମାଜିକ ନିରୀକ୍ଷକ ଓ ଗ୍ରାମ୍ୟ ସାଧନ କର୍ମିମାନେ ଯୋଗ ଦେଇ କର୍ମ ନିଯୁକ୍ତି ଯୋଜନା ଏବଂ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତାର ଆୟବ୍ୟୟର ସମୀକରଣ କରାଯାଇଥିଲା । ଜଟଣୀ ବ୍ଲକ୍ର ୧୫ ଟି ପଚାଂୟତ ମଧ୍ୟରୁ ୨ ଟି ପଚାଂୟତ ଯଥା ତରାବୋଇ ଓ ପଦନପୁର ପଚାଂୟତରେ ସର୍ବାଧିକ ବ୍ୟୟ ଅଟକଳ ହୋଇଥିଲାବେଳେ ଏହାକୁ ଭବିଷ୍ୟତରେ କମ୍ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଚଳିତ ବର୍ଷ ୨୦୧୯-୨୦ ରେ ୮୦୩ ଜଣ ଶ୍ରମିକଙ୍କୁ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ଯ୍ୟ ଯୋଗାଇ ଦିଆଯାଇ ୧୭୩୩୬ ଗୋଟି ଶ୍ରମ ଦିବସ ସୃଷ୍ଟି ହୋଇଛି । ୨୦୧୮-୧୯ ରେ ୨୭ ଗୋଟି ପରିବାର ୧୦୦ ଦିନ କାର୍ଯ୍ୟ କରିଛନ୍ତି । ସେହିପରି ଉକ୍ତ ଯୋଜନାରେ ୧୫ ଟି ପଚାଂୟତରେ ୮୮୩ ଟି ପ୍ରକଳ୍ପ ହାତକୁ ନିଆଯାଇଥିବା ବେଳେ ସେଥିମଧ୍ୟରୁ ୩୬୪ ଟି ପ୍ରକଳ୍ପ ଅଦ୍ୟାବଧି ଶେଷ ହୋଇଛି । ଅବଶିଷ୍ଟ ୫୧୯ ଟି ପ୍ରକଳ୍ପର କାର୍ଯ୍ୟ ଚାଲୁ ରହିଥିବା ବିଡିଓ ବାସୁଦେବ ମାହାରୀ କହିଥିଲେ । ଏହା ବ୍ୟତୀତ ଜଟଣୀ ବ୍ଲକ୍ରେ ଏମ୍.ଜି.ଏନ୍.ଆର୍.ଇ.ଜି.ଏସ୍ ଯୋଜନାରେ ୧୮୮ ଟଙ୍କା ପାରିଶ୍ରମିକରେ ଲୋକେ କାମ କରିବା ପାଇଁ କୁଣ୍ଠାବୋଧ ହେଉଥିବା ବେଳେ ଅନ୍ୟ ସ୍ଥାନରେ କାମ କଲେ ସେମାନଙ୍କୁ ୩୫୦ ଟଙ୍କାରୁ ଉଦ୍ଧ୍ୱର୍ ମିଳୁଛି । ତେବେ ଏପରି କାରଣ ନେଇ ଶ୍ରମିକ ମାନେ ଏହି ଯୋଜନାରେ କାର୍ଯ୍ୟ କରିବାକୁ ମୁହଁ ବୁଲାଉଛନ୍ତି । ଏହା ସହିତ ବାର୍ଦ୍ଧକ୍ୟ ଭତା ବାବଦରେ କିଛି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ନାମରେ ଭତା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଅନ୍ୟ ପକ୍ଷ୍ୟରେ ଆଜିର ଏହି ଶିବିରରେ ଜନସାଧାରଣ ଏବଂ ଜନପ୍ରତିନିଧି ଅନୁପସ୍ଥିତ ଥିବା ନେଇ ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ।
Related Stories
November 29, 2024