
ଗଞ୍ଜାମ, ଛତ୍ରପୁର ରେଳ ଷ୍ଟେସନ ନିକଟରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଜଣେ ଗଞ୍ଜେଇ ଚୋରାଚାଲାଣକାରୀକୁ ଧରିବାରେ ସକ୍ଷମ ହୋଇଛନ୍ତି । ଏହି ଯୁବକ ଜଣକ ହେଉଛନ୍ତି ବ୍ରହ୍ମପୁରର । ତାଙ୍କ ନାମ ଶୁଭମ୍ ପଟ୍ଟନାୟକ । ସେ ଗଞ୍ଜେଇ ନେଇ ସୁରତ ଯିବାକୁ ଛତ୍ରପୁର ଷ୍ଟେସନରେ ଟ୍ରେନ୍ କୁ ଅପେକ୍ଷା କରିଥିଲା । ସୂଚନା ପାଇ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ତାଙ୍କ ପିଏସଓ ଓ ଡ଼୍ରାଇଭର, ଅବକାରୀ ବିଭାଗର ଦୁଇ କର୍ମଚାରୀ ସେଠାରେ ଚଢ଼ଉ କରି ଶୁଭମ୍ କୁ କାବୁ କରିଥିଲେ । ତା ନିକଟରୁ ୪୦ କେଜି ଗଞ୍ଜେଇ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଜବତ ଗଞ୍ଜେଇ ଓ ଶୁଭମ୍ କୁ ଅବକାରୀ ବିଭାଗକୁ ହସ୍ତାନ୍ତର କରାଯାଇଛି । ଆଜି ଅଭିଯୁକ୍ତ ଶୁଭମ୍ କୁ କୋର୍ଟଚାଲାଣ କରାଯାଇଛି । ଘଟଣାସ୍ଥଳରେ ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।