
ଭୁବନେଶ୍ୱର, ରାଜଧାନୀ ଉପକଣ୍ଠରୁ ଗୋଟିଏ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏହି ମାମଲାରେ ଏସଟିଏଫ୍ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଜାତୀୟ ରାଜପଥ-୧୬ର ପାହାଳ ଛକରେ ବ୍ରାଉନସୁଗାର ଡିଲ୍ ଚାଲିଥିବାର ଖବର ପାଇ ଏସଟିଏଫ୍ ଟିମ୍ ଚଢ଼ାଉ କରିଥିଲା । ଘଟଣାସ୍ଥଳରୁ ୧ କେଜି ୨୨୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ୨୨ ଲକ୍ଷ ଟଙ୍କାରୁ ଅଧିକ ହେବ । ଅଭିଯୁକ୍ତ ବ୍ରାଉନସୁଗାର ବ୍ୟବସାୟୀ ଜଣକ ହେଉଛନ୍ତି ଶିବୁ ଓରଫ ଶିବପ୍ରସାଦ ଦାସ । ତାଙ୍କ ଘର ଜଟଣୀ ଥାନା ଅନ୍ତର୍ଗତ ମୁଣ୍ଡିଆ ସାହିରେ । ଘଟଣାସ୍ଥଳରୁ ଏସଟିଏଫ୍ ଟିମ୍ ଏକ ବାଇକ୍, ୫ଟି ମୋବାଇଲ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି । ଅଭିଯଯୁକ୍ତ ଶିବପ୍ରସାଦ ଦାସଙ୍କୁ କୋର୍ଟଚାଲାଣ କରାଯାଇଛି । ଏହି ଘଟଣାର ଅଧିକ ତଦନ୍ତ କରାଯାଉଛି ।