-
କରୋନାରୁ ବିଶ୍ୱବାସୀଙ୍କ ମୁକ୍ତି କାମନା କଲେ
ପୁରୀ, ବଡ଼ଦାଣ୍ଡ ଶରଧାବାଲିରେ ଆୟୋଜିତ ବିଶ୍ୱ ବୈଷ୍ଣବ ସମ୍ମିଳନୀକୁ ଆଜି ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ନିଜ ଉଦଘାଟନୀ ଅଭିଭାଷଣରେ ରାଷ୍ଟ୍ରପତି ପ୍ରଥମେ ମହାମାରୀ କରୋନାରୁ ବିଶ୍ୱବାସୀଙ୍କ ମୁକ୍ତି କାମନା କରିଛନ୍ତି । ସେ କହିଛନ୍ତି ଯେ, ବିଶ୍ୱର ବିଭିନ୍ନ ଆସ୍ଥା ପଛରେ ଇଶ୍ୱରୀୟ ଭକ୍ତି ରହିଛି । ସତ୍ୟ ଏକ ଏବଂ ଅଭିନ୍ନ । ଏହାର ଭାଗବଂଟା ହୋଇନପାରେ । ଦେଶର ମହାନ୍ ସନ୍ଥ ମାନେ ଭକ୍ତି ମାର୍ଗକୁ ପ୍ରଶସ୍ତ କରିଛନ୍ତି । ଉଦାହରଣରେ ଚୈତନ୍ୟ ମହାପ୍ରଭୁଙ୍କୁ ସ୍ମରଣ କରିଥିଲେ ରାଷ୍ଟ୍ରପତି । ବିଶ୍ୱ ମାନବ ଜାତି ଇଶ୍ୱର ପ୍ରାପ୍ତି ପାଇ ବିଭିନ୍ନ ପଥ ଅନୁସରଣ କରୁଥିଲେ ମଧ୍ୟ ଇଶ୍ୱର ଏକ ବୋଲି ସେ କହିଥିଲେ । ସମସ୍ତ ନଦୀ ବିଭିନ୍ନ ବାଟ ଦେଇ ଯାଇଥିଲେ ମଧ୍ୟ ସମୁଦ୍ରରେ ମିଶିଥାନ୍ତି । ଶ୍ରୀଲ ପ୍ରଭୁପାଦ ଶ୍ରୀ ଚୈତନ୍ୟ ଗୌଡ଼ିୟ ଚିନ୍ତାଧାରା ବିଶ୍ୱବ୍ୟାପୀ ପ୍ରଚାର କରିଥିଲେ । ଭାରତର ଭକ୍ତି ସିଦ୍ଧାନ୍ତ ଓ ମୁକ୍ତି ପଥ ପାଇଁ ଅନେକ ସାଧୁସନ୍ଥ କାର୍ଯ୍ୟ କରିଛନ୍ତି । ଶ୍ରୀ ଜଗନ୍ନାଥଙ୍କ ଆର୍ଶିବାଦ ଥିବାରୁ ମୋତେ ଶ୍ରୀକ୍ଷେତ୍ର ଆସିବାର ସୁଯୋଗ ମିଳିଛି ବୋଲି ସେ କହିଥିଲେ ।
ଏହି ସମ୍ମିଳନୀରେ ଯୋଗଦେଇ ଓଡ଼ିଶା ରାଜ୍ୟପାଳ ପ୍ର. ଗଣେଷୀଲାଲ କହିଥିଲେ ଯେ, ଗୌଡ଼ିୟ ଚିନ୍ତାଧାରାରେ ବହୁତ ଦାର୍ଶନିକ ତଥ୍ୟ ରହିଛି । ଅମୃତବାଣୀ, ସତ୍ୟ ସନାତନ, ମୃତ୍ୟୁ ଓ ପୂର୍ନଜନ୍ମ ସମ୍ପର୍କରେ ଅନେକ ତଥ୍ୟ ଶ୍ରୀଚୈତନ୍ୟ ଚରିତାମୃତରେ ରହିଛି ।
ଏହି ସମ୍ମଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ରାଷ୍ଟପତିଙ୍କ ପତ୍ନୀ ସବିତା କୋବିନ୍ଦ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଗୌଡ଼ିୟ ମଠର ମୁଖ୍ୟ ଓ ଶତାଧିକ ସାଧୁସନ୍ଥ ଯୋଗ ଦେଇଥିଲେ । ଏହି ସମ୍ମିଳନୀ ତିନି ଦିନ ଧରି ଚାଲିବ । ପ୍ରଭୁପାଦଙ୍କ ୧୫୦ ବର୍ଷ ପୂର୍ତି ଉପଲକ୍ଷେ ଏହି ଧର୍ମ ଜାଗରଣ ଦେଶ ବିଦେଶରେ ଆସନ୍ତା ୩ ବର୍ଷ ଯାଏଁ ଚାଲୁ ରହିବ । ୨୦୨୪ ରେ କଲିକତା ଠାରେ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି ।