
ରାଉରକେଲା, ୨୦୧୯ ମସିହାରେ ପ୍ରାୟ ୨ ଲକ୍ଷ ନିର୍ମାଣ ଶ୍ରମିକଙ୍କ ଲାଗି ସରକାରଙ୍କ ଠାରୁ ଆସିଥିବା ଅର୍ଥରେ ସାଇକେଲ ଓ ନିର୍ମାଣ ଆସବାବପତ୍ର ଦିଆଯିବା ପରିବର୍ତେ ସେ ଅର୍ଥକୁ ହରିଲୁଟ କରାଯାଇଛି ଓ ଏଥିରେ ପ୍ରାୟ ୯କୋଟି ଟଙ୍କା ହରିଲୁଟ ହୋଇଛି ବୋଲି ଅଭିଯୋଗ ଆଣି ରଶ୍ମୀରଞ୍ଜନ ପାଢୀ ଏକ ମାମଲା ଲୋକାୟୁକ୍ତରେ ରୁଜୁ କରିଥିଲେ । ତେବେ ଲୋକୟୁକ୍ତ ଏହାକୁ ଗ୍ରହଣ କରି ଭିଜିଲାନ୍ସ ତଦନ୍ତ ଲାଗି ବିଭାଗର ନିର୍ଦ୍ଦେଶକଙ୍କୁ ଚିଠି କରିଥିଲେ । ସେହି ଚିଠି ଅନୁଯାଯୀ ରାଉରକେଲା ଭିଜିଲାନ୍ସ ଏହି ମାମଲାରେ ୨ଲକ୍ଷ ସ୍ଥାନରେ ମାତ୍ର ୩ଶହ ଲୋକଙ୍କୁ ପରୀକ୍ଷା ନିରୀକ୍ଷା କରି ୧ କୋଟି ୬୬ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଲୋକାୟୁକ୍ତଙ୍କ ନିକଟରେ ନିଜର ରିପୋର୍ଟ ପ୍ରଦାନ କରିଥିବା ଖବର ମିଳିଛି । ଅନେକ ବେନାମୀ ଲୋକଙ୍କୁ ନିର୍ମାଣ ଶ୍ରମିକ ନାମରେ ସଜାଇ ଏହିସବୁ ଅର୍ଥକୁ ଲୁଟ୍ କରାଯାଇଥିବା ବେଳେ ମଲା ଲୋକଙ୍କ ନାମରେ ମଧ୍ୟ ଏହି ଅର୍ଥ ଲୁଟ ହୋଇଥିବା ଅଭିଯୋଗ ହୋଇଥିଲା । ୫୦ ଜଣ ମଲା ଲୋକଙ୍କ ନାମରେ ଏହି ଅର୍ଥ ଖର୍ଚ୍ଚ ହୋଇଥିବା ନେଇ ଭିଜିଲାନ୍ସ ରିପୋର୍ଟ ଦେଇଥିବା ଖବର ମିଳିଛି । ତେବେ ଏହି ମାମଲା ନିର୍ଦ୍ଦିଷ୍ଟ ଭାବେ କାହା ନାମରେ କାରାଯାଇନଥିବା ବେଳେ ଭିଜିଲାନ୍ସ ପୂର୍ବତନ ଶ୍ରମ ଅଧିକାରୀ ପ୍ରଣବ ପାତ୍ରଙ୍କୁ ବାରମ୍ବାର ଡାକି ପଚରାଉଚରା କରିଥିଲେ । ତେବେ ଏହି ସବୁ ଅର୍ଥ ଖର୍ଚ୍ଚ ବେଳେ ଯେଉଁ ଶ୍ରମିକ ଏହାର ସୁବିଧା ପାଇବେ ତାଙ୍କୁ ଏକ ଶ୍ରମିକ ସଂଗଠନ ଚିହ୍ନଟ କରିବାର ବ୍ୟବସ୍ଥା ଥିଲା । ମାତ୍ର ୩୦୦ଶହ ଲୋକଙ୍କୁ ପରୀକ୍ଷା କରି କୋଟିଏ ୬୬ ଲକ୍ଷ ଟଙ୍କାର ଲୁଟ୍ ହୋଇଥିବା ଘଟଣା ଯଦି ପଦାକୁ ଆସିଲା ତେବେ କେଉଁ ଶ୍ରମିକ ସଂଗଠକମାନେ କେଉଁ ଅଫିସରଙ୍କୁ କେଉଁ ସବୁ ଶ୍ରମିକଙ୍କୁ ଚିହ୍ନଟ କରିଥିଲେ ସେନେଇ କୋର୍ଟରେ ନିଜର ପକ୍ଷ ରଖିବାକୁ ଥିବା ଶ୍ରମ ଅଧିକାରୀ ନିଶ୍ଚୟ ଉଲ୍ଲେଖ କରିବେ ବୋଲି କୁହାଯାଉଛି । ତେବେ ଗତକାଲି ଏହି ମାମଲାର ଶୁଣାଣି ଥିବାବେଳେ ଶୁଣାଣି ଶେଷରେ ସେ ସମୟର ଜିଲ୍ଲାଶ୍ରମ ଅଧିକାରୀ ଅଡୁଆରେ ପଡିବାକୁ ଯାଉଥିବା ନେଇ ଶ୍ରମ ବିଭାଗରେ ଆଲୋଚନା ଜୋର୍ ଧରିଛି ।