
ରାଉରକେଲା, ରାଉରକେଲା ସହରରେ ଦୀର୍ଘ ବର୍ଷ ଧରି ଜଣେ ଆଇଏଏସ୍ ଅଫିସରଙ୍କୁ ୪ଟି ଅଫିସ ଦାୟିତ୍ୱରେ ରଖାଯାଉଥିବାରୁ ରାଉରକେଲା ଡେଭେଲୋପମେଂଟ ଅଥରିଟି ଏକ ପ୍ରକାର ଅଚଳାବସ୍ଥାରେ ପହଂଚିଥିବା ବେଳେ ରାଉରକେଲା ଏଡିଏମ କିଏ ତାଙ୍କୁ ଲୋକେ ଜାଣି ପାରୁନାହାନ୍ତି । ଏଭଳି ପରିସ୍ଥିତି ଲାଗି ସହରବାସୀ ନାନା ସମସ୍ୟାରେ ପଡି ରହୁଥିବା ବେଳେ ସହରକୁ ଏକ ପ୍ରକାର ସରକାର ଅବହେଳା କରୁଛନ୍ତି ବୋଲି ସାଧାରଣରେ ଆଲୋଚନା ଚାଲିଛି । ରାଉରକେଲା ଡେଭେଲୋପମେଂଟ ଅଥରିଟି (ଆରଡିଏ) ଅତୀତରେ ଆରଆଇଟିରୁ ଜନ୍ମ ନେଇଥିଲା ସେ ସମୟରେ ସହର ବାସୀଙ୍କ ପାଇଁ ଅନେକ ବାସଗୃହ ଓ ପ୍ଲଟର ବ୍ୟବସ୍ଥା କରିବା ସହ ଅନେକ ଦୋକାନ ଗୃହ ମଧ୍ୟ ବର୍ଷନିର୍ମାଣ କରିଥିଲା । ଯାହାକି ଆଜି ପର୍ଯ୍ୟନ୍ତ ଲୋକେ ବ୍ୟବହାର କରୁଛନ୍ତି । ଏହା ପରଠାରୁ ଆରଡିଏ ଧୀରେ ଧୀରେ ଧୀମା ଅବସ୍ଥାରେ ପହଂଚିଥିବା ବେଳେ ସହରରେ ଆଉ ନୂତନ ବାସଗୃହ, ପ୍ଲଟ୍ ଓ ଦୋକାନ ଘର ଆବଶ୍ୟକତା ଥିଲେ ମଧ୍ୟ ତାହା କରାଯାଇପାରୁ ନାହିଁ । ସହରରେ ଅନେକ ମୂଲ୍ୟବାନ ସରକାରୀ ଜମି ସ୍କୁଲ, ସାମାଜିକ ସଂଗଠନ, ଦାଦାଗିରି, ବେନାମୀ ବସ୍ତି ନାମରେ ଜବରଦଖଲ ହୋଇ କୋର୍ଟରେ କେସ୍ ଚାଲୁଥିବା ବେଳେ ଖୋଦ ଟଙ୍କା ଦେଇ ଏସବୁ ପାଇବାକୁ ଚାହୁଁଥିବା ଲୋକଙ୍କର ସ୍ୱପ୍ନ ସ୍ୱପ୍ନରେ ରହିଯାଇଛି । ଏଥିପାଇଁ ମୁଖ୍ୟତଃ ଜଣେ ଅଫିସର ୪ଟି ଅଫିସ ସମ୍ଭାଳିବା ମୁଖ୍ୟ ଦାୟି ବୋଲି କୁହାଯାଉଛି ।
୨୦୦୪ରେ ଦୋଳମଣି କାନ୍ଧେ ଏହି ଆରଡିଏର ସଚିବ ଥିବା ବେଳେ ତାଙ୍କର ବଦଳି ହୋଇଥିଲା । ତାପରେ ଭି.କେ. ପାଣ୍ଡିଆନ ବର୍ତମାନର ୫-ଟି ସଚିବ ରାଉରକେଲା ଏଡିଏମ୍ ପଦ ସହ ଆରଡିଏର ସଚିିବ ଦାୟିତ୍ୱ ତୁଲାଇଲେ । ସେହିଦିନ ଠାରୁ ଯିଏ ଏଡିଏମ ଆସିଲେ ସିଏ ଏହାର ସଚିବ ହୋଇ ରହିଗଲେ । ୨ଟି ଅଫିସ ସମ୍ଭାଳିବା ଭିତରେ ମଧ୍ୟ ଆରଡିଏ ତରଫରୁ କୌଣସି ବାସଗୃହ ପ୍ରକଳ୍ପ ଆସିଲା ନାହିଁ । ତାପରେ ରାଉରକେଲା ମହାନଗର ନିଗମ ସ୍ମାର୍ଟସିଟି ମଧ୍ୟ ଏଡିଏମ ପଦ ସହ ଯୋଡି ହୋଇଗଲା । ଆରଏମସିରେ ବର୍ଷକୁ ହଜାର ହଜାର କୋଟି ଟଙ୍କାର କାମ ରହୁଥିବା ବେଳେ ସ୍ମାର୍ଟସିିଟି ମଧ୍ୟ ସହରକୁ ସୁନ୍ଦର କରିବା ନିମନ୍ତେ ବହୁ କୋଟିର ପ୍ରକଳ୍ପ ନେଇ କାମ କରୁଛି । ଜଣେ ଅଫିସର ଆରଏମସି, ଆରଡିଏ, ଏଡିଏମ ଓ ସ୍ମାର୍ଟସିଟି ଦାୟିତ୍ୱରେ ରହୁଥିବାରୁ ତାଙ୍କର ଅଧିକ ସମୟ ବିତୁଛି ଆରଏମସି ଓ ସ୍ମାର୍ଟସିଟିରେ । ଏଡିଏମ ଅଫିସ ଚେୟାର ପ୍ରାୟ ଖାଲି ରହୁଛି । ଲୋକେ ଏହି ଅଫିସକୁ ଆସି ଦାୟିତ୍ୱରେ ଥିବା ଏଡିଏମଙ୍କୁ ଖୋଜି ପାଉନାହାନ୍ତି । ଫଳରେ ଆସିଷ୍ଟାଂଟ କଲେକ୍ଟରଙ୍କ ପାଖକୁ ଯାଇ ଅଶାନ୍ତି ହୋଇ ଫେରୁଛନ୍ତି । ସେ ମଧ୍ୟ ନିକଟରେ ଭିଜିଲାନ୍ସ ଜାଲରେ ପଡି ଜେଲରେ ଅଛନ୍ତି । ତେଣୁ ଏଡିଏମ ଅଫିସ ଭଳି ଗୁରୁତ୍ୱପୂର୍ଣ୍ଣ ଅଫିସ ଏବେ କେବଳ ନାମକୁ ମାତ୍ର ରହିଛି ବୋଲି କୁହାଯାଉଛି । ସେହିଭଳି ଆରଡିଏରେ ନିୟମିତ ଭାବେ ଜଣେ ସଚିବ ନଥିବାରୁ ଲୋକଙ୍କୁ ନୂଆ ପ୍ରକଳ୍ପ ମାଧ୍ୟମରେ ବାସଗୃହ ଆଦି ଯୋଗାଇଦେବା ନେଇ କେହି ଚିନ୍ତା କରୁନାହାନ୍ତି । ସଚିବ ରହିଲେ ସେ ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ସହରବାସୀ ଚାହୁଁଥିବା ଅନେକ ପ୍ରକଳ୍ପ ଆସି ପାରନ୍ତା ଓ ଆରଡିଏ ମଧ୍ୟ ଲାଭବାନ ହୋଇପାରନ୍ତା କିନ୍ତୁ ଏନେଇ ସରକାରୀ ସ୍ତରରେ ବାବୁମାନେ ପୁରା ନିରବ । ପଲିଟିକାଲ ଇଚ୍ଛାଶକ୍ତି ମଧ୍ୟ ଶୂନ । ନିକଟରେ ଏହି ଅଫିସରୁ ଘର ପ୍ଲାନ କରିବା କ୍ଷମତା ଆରଏମସିକୁ ସ୍ଥାନାନ୍ତରିତ ହୋଇଛି । ଏହି ଅଫିସରେ ଅବକାରୀ ଅଧୀକ୍ଷକ ମଧ ବସିବା ଆରମ୍ଭ କଲେଣି । କାର୍ଯ୍ୟାଳୟର ଅନେକ ଚୌକି ମଧ୍ୟ ଖାଲି ପଡିଲାଣି । କେବଳ ଦୋକନ ଗୃହ ଭଡ଼ା ଓ କିଛି ଘର କିଣାବିକାକୁ ନେଇ ଏହି ଅଫିସ ଚାଲୁଛି । ଭୁବନେଶ୍ୱରର ବିଡିଏ, କଟକର ସିଡିଏ ଭଳି ଆରଡିଏକୁ ଅଧିକ କାର୍ଯ୍ୟକ୍ଷମ କରିବାକୁ ହେଲେ ଏଠାରେ ଜଣେ ନିୟମିତ ସଚିବଙ୍କୁ ନିଯୁକ୍ତି ଦେବା ନିହାତି ଆବଶ୍ୟକ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି ।