ଭୁବନେଶ୍ୱର, ନବରଙ୍ଗପୁର ସୋରିଷପଦର ନିକଟରେ ପୋଲିସ୍ ବସ୍ ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ନବରଙ୍ଗପୁର ଜିଲ୍ଲା ସୋରିଷପଦର ନିକଟରେ ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ସଂଖ୍ୟାଧିକ ପୋଲିସ କର୍ମଚାରୀ ପ୍ରାଣ ହରାଇଥିବା ବିଷୟରେ ଜାଣି ମୁଁ ଦୁଃଖିତ । ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଶୁକ୍ରବାର ନବରଙ୍ଗପୁରରେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଥିଲେ । ୩ ଜଣଙ୍କୁ ଗୁରୁତର ଅବସ୍ଥାରେ କୋରାପୁଟ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । ମୃତ ଗ୍ରାମରକ୍ଷୀମାନେ ହେଲେ ନବରଙ୍ଗପୁର ଇଛାବତୀଗୁଡ଼ାର ଶେଷା ରାଓ, ଖାତିଗୁଡା ଥାନା ଅଂଚଳର ରବି ବିଶୋଇ ଓ ଡ଼ଙ୍ଗରଭେଜା ଫାଣ୍ଡି ଅଂଚଳର ଜଗବନ୍ଧୁ ଗୌଡ଼ ବୋଲି ଜଣାପଡିଛି । ନିର୍ବାଚନ କାର୍ଯ୍ୟରେ ନିୟୋଜିତ ପୋଲିସ କର୍ମଚାରୀଙ୍କୁ ନେଇ ବସ୍ ଟି କୋଷାଗୁମୁଡ଼ା ଯାଉଥିଲା । ବସ୍ ରେ ୩୫ରୁ ଅଧିକ ଜଣ ପୋଲିସ କର୍ମଚାରୀ ଥିଲେ ।