ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟରେ ପଦ୍ମଭୂଷଣ ରାଧାନାଥ ରଥଙ୍କ ଜୀବନୀ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ପୌରୋହିତ୍ୟ କରିବା ସହ ରାଧାନାଥଙ୍କ ଜୀବନୀ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ବାଣିଜ୍ୟ ବିଭାଗ ମୁଖ୍ୟ ଡାଃ ରଞ୍ଜନ କୁମାର ସ୍ୱାଇଁ ଯୋଗ ଦେଇ ରାଧାନାଥ ରଥଙ୍କ ଜୀବନ ବ୍ୟାପୀ ସାଧନା , କୃତିତ୍ଵ , ସାମାଜିକ , ରାଜନୈତିକ ଏବଂ ଓଡ଼ିଆ ସାହିତ୍ୟ ପ୍ରତି ଆଭିମୁଖ୍ୟ ସମ୍ପର୍କରେ ବଳିଷ୍ଠ ମତ ପ୍ରଦାନ କରିଥିଲେ । ସମ୍ମାନୀତ ଅତିଥି ଭାବେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଅରୁଣ କୁମାର ପାଣ୍ଡରାକି ଯୋଗ ଦେଇ ଡଃ ରଥଙ୍କ ଓଡ଼ିଆ ରାଜନୀତି ପ୍ରତି ଥିବା ଦାୟିତ୍ବବୋଧତା ଓ ସମାଜ ପ୍ରତି ଥିବା ଗୁରୁଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟତମ ସମ୍ମାନୀତ ଅତିଥ୍ ଭାବେ ବାଣିଜ୍ୟ ବିଭାଗ ଅଧ୍ୟାପକ ପ୍ରମୀୟ କୁମାର ମହାନ୍ତି ଯୋଗଦେଇ ରାଧାନାଥ ରଥଙ୍କ ଜୀବନୀ କିଭଳି ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିବ ସେ ସମ୍ବନ୍ଧୀୟ ସ୍ଵରଚିତ ଅଭିମତ ପ୍ରଦାନ କରିଥିଲେ । ଡ଼ା. ରାଧାନାଥ ରଥ ଏକାଧାରରେ ଜଣେ ସମାଜସେବୀ, ସାହିତ୍ୟିକ, ଖବରକାଗଜ ସମ୍ପାଦକ, ରାଜନୀତିଜ୍ଞ ଓ ସମାଜ ସଂସ୍କାରକ ଥିଲେ ବୋଲି ଅଧ୍ୟାପକ ଶ୍ରୀ ମହାନ୍ତି ନିଜ ବକ୍ତବ୍ୟ ରଖୁଥିଲେ ।
କାର୍ଯ୍ୟକ୍ରମରେ ଅଧ୍ୟାପକ ଗୌତମ ନାୟକ, ଜୀମୁତ ନାୟକ, ପ୍ରେମରେଖା ଭତ୍ରା, ଲିୱାରାଣୀ ନାୟକ, ଦୀପ୍ତିରେଖା ମିଶ୍ର, ମେଘା ଅଗ୍ରବାଲ, ରିତୁ ମଣ୍ଡଳଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଅଧ୍ୟାପକ ପ୍ରଦୀପ ଓରାମ ଧନ୍ୟବାଦ ଅର୍ପଣ କରିଥିଲେ ।