ଭଦ୍ରକ – ମନୋଜ ଦାସ ଓଡ଼ିଆ କଥା ସାହିତ୍ୟର ଗର୍ବ ଓ ଗୌରବ । ଶିଶୁ-କିଶୋର ମନସ୍ତତ୍ତ୍ୱର ରୂପାୟନ କ୍ଷେତ୍ରରେ ସେ ଯେପରି ଅବିସମ୍ବାଦିତ କୃତୀତ୍ୱର ଅଧିକାରୀ, ସେମିତି ଆଧ୍ୟାତ୍ମିକତା ଓ ମାନବବାଦର ମୁଗ୍ଧ ନାନ୍ଦିକାର । ସେ କେବଳ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ସାହିତ୍ୟର ପ୍ରତିଥିଯଶା କଥାକାର ନୁହଁନ୍ତି, ପ୍ରାଚୀନ କଥା ପରମ୍ପରାର ନବୀନ ଉଦ୍ଗାତା । ପାଠକଙ୍କୁ ପରିଚିତ ମାଟିର ଏକ ବୈଚିତ୍ରମୟ ଭିନ୍ନ ଜଗତକୁ ନେଇଯାଉଥିବା ମନୋଜଙ୍କ ଗଳ୍ପରେ ନାରୀ, ବିଶେଷତଃ ମା’ ର ଚିତ୍ର ଓ ଚରିତ୍ର ବେଶ୍ ନିଆରା ବୋଲି ମନମୋହନ ସଂଗୀତ ପରିଷଦ ପରିସରରେ ଉତ୍ତର ଓଡ଼ିଶାର ସର୍ବବୃହତ୍ ୬ଷ୍ଠ ସାଳନ୍ଦୀ ବହିମେଳାର ୪ର୍ଥ ସୃଜନ ସନ୍ଧ୍ୟାରେ ମତପ୍ରକାଶ ପାଇଛି । ଗାଳ୍ପିକା ଝରଣା ପଟ୍ଟନାୟକଙ୍କ ପୌରୋହିତ୍ୟରେ ‘ମନୋଜ ଦାସଙ୍କ ଗଳ୍ପରେ ମା’ ଆ’ ଶୀର୍ଷକ ଆଲୋଚନା ସଭାରେ ସୁସାହିତ୍ୟିକା ଡ. ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନାରୀର ଭିନ୍ନ ଭିନ୍ନ ସ୍ୱରୂପକୁ ମାନବିକତାର ପୁଟ ଦେଇ ମନୋଜ ଦାସ ତାଙ୍କ ସୃଜନ ସମ୍ଭାରରେ ରସୋତ୍ତୀର୍ଣ୍ଣ କରିବାକୁ ପ୍ରୟାସ କରିଛନ୍ତି ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକା ପ୍ରବୀଣା ମହାନ୍ତି, ଡ. ରାଧାରାଣୀ ମହାପାତ୍ର ଓ ଡ. ସୁକାନ୍ତି ମହାପାତ୍ର ଯୋଗଦେଇ ନାରୀର ଭିନ୍ନ ଭିନ୍ନ ସ୍ୱରୂପକୁ ରୂପାୟିତ କରିବାରେ ସେ ଅନତିକ୍ରମଣୀୟ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ବହିମେଳାର ସଭାପତି ଗାଳ୍ପିକ ପବିତ୍ର ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ ସହ ଆଲୋଚ୍ୟ ପ୍ରସଙ୍ଗ ଉପରେ ପ୍ରାକ୍ଭାଷ ପ୍ରଦାନ କରିଥିଲେ । ଏବଂ ଶେଷରେ ସଂଯୋଜିକା ବସୁମିତ୍ରା ସାହୁ ସଭାର ଶେଷସ୍ପର୍ଶ ଦେଇଥିଲେ । ସଭା ପରେ ‘ମା’ ଭଦ୍ରକାଳୀ କୃଷି ନାଟ୍ୟ ସଂସ୍ଥା’ ସୌଜନ୍ୟରୁ ‘ନଟରାଜ ସାଂସ୍କୃତିକ ଅନୁଷ୍ଠାନ’ ଦ୍ୱାରା କୃଷିଭିତ୍ତିକ ନୃତ୍ୟ ବିଚିତ୍ରାରେ ଚଢେୟା-ଚଢିୟାଣୀ ଓ ଘୋଡାନାଚ ପରିବେଶିତ ହୋଇଥିଲା । ଅଭିଜିତ ନାୟକ, କୈଳାସ ଚନ୍ଦ୍ର ପଣ୍ଡା, ଇଂ ବିମ୍ବାଧର ବ୍ରହ୍ମ, ହରମୋହନ କୁଅଁର, ଡା. ବିକାଶ ନାରାୟଣ ନନ୍ଦ, ଶିବଚରଣ ଖାମୁରାଇ, ନାସିର ବକ୍ସ, ପ୍ରଫୁଲ୍ଲ କୁମାର ନାୟକ, ସୁଧାକର ରାଉତ, ସୁଚିତ୍ରା ପାଣିଗ୍ରାହୀ, କିଶୋର ପାଣିଗ୍ରାହୀ ଓ ବୁଲୁ ମହାନ୍ତି ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।