ମାଲକାନଗିରି, ରାଜ୍ୟ ସରକାର ଗୁଟଖା ବିକ୍ରୀକୁ ସମ୍ପୂର୍ଣ ଭାବେ ନିଷିଦ୍ଧ କରିଥିବା ବେଳେ ଜିଲାର ବିଭିନ୍ନ କମ୍ପାନୀର ଗୁଟଖା ବିକ୍ରୀ ହେଉଛି । ଏହି ଗୁଟଖା ଗୁଡିକୁ କିଛି ନିର୍ଦ୍ଦିଷ୍ଟ ବେପାରୀ ଲୁଚା ଛୁପାରେ ବିଭିନ୍ନ ବସରେ ବାହାର ଜିଲ୍ଲାରୁ ଆଣି ଏଠାରେ ଥିବା ଦୋକାନୀ ମାନଙ୍କୁ ଦେଇଥାନ୍ତି । କାଲିମେଳା – ମୋଟୁ ୩୨୬ ନଂ ଜାତୀୟ ରାଜପଥର କାଲିମେଳା ଶିବ ମନ୍ଦିର ସମ୍ମୁଖରେ ସନ୍ଦେହଜନକ ଅବସ୍ଥାରେ ପଡ଼ିଥିବା ୩ ବସ୍ତା ଗୁଟଖାକୁ କାଲିମେଳା ପୋଲିସ ଜବତ କରି ତଦନ୍ତ ଚଳାଇଥିବା ଜଣାପଡିଛି । ମାଲକାନଗିରି ସଦର ମହକୁମାର ଜଣେ ଗୁଟଖା ବେପାରୀ ସବୁ ଥର ପରି କାଲିମେଳା ଅଞ୍ଚଳର ତାଙ୍କ ଠାରୁ ଗୁଟଖା ଆଣୁଥିବା ବେପାରୀଙ୍କ ନିକଟକୁ ଏକ ଗାଡ଼ିରେ ଏହି ଗୁଟଖା ପଠାଇଥିବା ଅଭିଯୋଗ ହେଉଛି । ହେଲେ ଗାଡି ଵାଲା ଏହି ବସ୍ତା ଗୁଡିକୁ କାଲିମେଳା ଶିବ ମନ୍ଦିର ସମ୍ମୁଖରେ ଥିବା ଏକ ଦୋକାନ ନିକଟରେ ସକାଳ ୮ ସମୟରେ ରଖି ଦେଇ ଚାଲିଯାଇଥିଲା । ଦୀର୍ଘ ସମୟ ଧରି ରାସ୍ତା କଡରେ ସନ୍ଦେହଜନକ ଅବସ୍ଥାରେ ବସ୍ତା ପଡ଼ିଥିବା ଦେଖି ଲୋକ ମାନେ ଥାନାକୁ ଏ ବିଷୟରେ ଜଣାଇଥିଲେ । ଖବର ପାଇ କାଲିମେଳା ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ୩ ବସ୍ତା ଗୁଟଖାକୁ ଜବତ କରିଥିଲେ । ଜବତ ଗୁଟଖାର ମୂଲ୍ୟ ୫୦ ଟଙ୍କା ହେବ ବୋଲି ଜଣାପଡିଛି ।
ଏ ସମ୍ପର୍କରେ କାଲିମେଳା ଥାନା ଆଇଆଇସି ରଘୁନାଥ ମାଝୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଉକ୍ତ ସ୍ଥାନକୁ ଗୁଟଖା କିପରି ଆସିଲା ଓ କିଏ ଏହାକୁ ଆଣିଥିଲା ସେ ନେଇ ତଦନ୍ତ ଚାଲିଛି ।