
ଭଦ୍ରକ – ଭଦ୍ରକ ଜିଲା ଆଇନ୍ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅଧ୍ୟକ୍ଷ ଅପର୍ଣ୍ଣା ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପାଟଣାସାହି ୟୁଜିଏମ୍ଇ ବିଦ୍ୟାଳୟରେ ଆୟୋଜିତ ଏହି ଶିବିରରେ ଲୋକମାନେ କିଭଳି ଆଇନ୍ ପ୍ରତି ସଚେତନ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପାଦନ କରିବେ, ସେ ବିଷୟରେ ଆଇନ୍ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀମତୀ ମହାପାତ୍ର ସୂଚନା ଦେଇଥିଲେ । ଉପସ୍ଥିତ ଥିବା ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଜ୍ଞାତ କରାଇବା ସହ ସେମାନେ କିଭଳି ସାହସର ସହିତ ନିଜ ଜୀବନରେ ଆସୁଥିବା ସମସ୍ତ ପ୍ରତିବନ୍ଧକକୁ ସାମନା କରିବେ, ସେ ବିଷୟରେ ସେ ଅବଗତ କରାଇଥିଲେ । ବିଶେଷକରି ଆଇନ୍ ଆଗରେ ଗରିବ, ଧନୀ ସମସ୍ତେ ସମାନ ଥାଇ କିଭଳି ତାର ସହାୟତା ପାଇବେ, ସେ ସଂପର୍କରେ ବୁଝାଇଥିଲେ । ମାଗଣା ଆଇନ୍ ସେବା ସହ ଗୋଟିଏ କେଶ୍ର କିଭଳି ଆପୋଷ ମିଳାମିଶାରେ ସମାଧାନ ହୋଇପାରିବ, ସେ ବିଷୟରେ ବୁଝାଇଥିଲେ । ବାର୍ଦ୍ଧକ୍ୟ ଭତ୍ତା କିଭଳି ଜଣେ ପାଇପାରିବ ଏବଂ ବ୍ୟକ୍ତିଟିଏ ବିନା ଦୋଷରେ କୌଣସି ଭୁଲ୍ ବୁଝାମଣାରେ ଜେଲ୍ରେ ରହିଥିଲେ ତାହାର ଯଦି କେହି ସଂପର୍କୀୟ ନଥାନ୍ତି, ତାକୁ ମଧ୍ୟ ଆଇନ୍ ସେବା ପ୍ରାଧିକରଣ ମାଧ୍ୟମରେ ସହାୟତା କରାଯାଇପାରିବ ବୋଲି ମୁଖ୍ୟବକ୍ତା ବିବେକ ସାସମଲ କହିଥିଲେ । ଦ୍ୱିତୀୟ ଶ୍ରେଣୀ ବିଚାରପତି ଲିପ୍ସା ରାଉତ ନିଜ ବକ୍ତବ୍ୟରେ ଆଇନ୍ ସଚେତନତା ବିଷୟରେ ଅବଗତ କରାଇ ଆମ ସମ୍ବିଧାନରେ ଯେଉଁ ୬ଟି ମୌଳିକ ଅଧିକାର ରହିଛି, ସେ ବିଷୟରେ ଉପସ୍ଥିତ ମହିଳାଙ୍କୁ ବୁଝାଇଥିଲେ । ଦ୍ୱିତୀୟ ଶ୍ରେଣୀ ବିଚାରପତି ସୁଶ୍ରୀ ସସ୍ମିତା ସାହୁ ନିଜ ବକ୍ତବ୍ୟରେ ନାରୀ ଓ ପୁରୁଷ ସମାଜର ଦୁଇଟି ଅଙ୍ଗ ହୋଇଥିବାରୁ ସେମାନଙ୍କ ଆପୋଷ ମିଳାମିଶାରେ ଦେଶର ଉନ୍ନତି ହେବ ବୋଲି ସୂଚାଇଥିଲେ । ଅନୁରୂପ ଦ୍ୱିତୀୟ ଶ୍ରେଣୀ ବିଚାରପତି ସୁଶ୍ରୀ ରଶ୍ମି ନାରାୟଣୀ ମିଶ୍ର ମଧ୍ୟ ଲୋକଙ୍କୁ ଏହି ଆଇନ୍ ସେବା ବିଷୟରେ ଅବଗତ କରାଇଥିଲେ । ଶେଷରେ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିରେ ଶହେରୁ ଉଦ୍ଧ୍ୱର୍ ମହିଳା ଓ ପୁରୁଷ, ଶିଶୁ, ବୃଦ୍ଧା-ବୃଦ୍ଧା ଅଂଶଗ୍ରହଣ କରିଥିଲେ ।