ଭୁବନେଶ୍ୱର, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଶେଷ ହୋଇଛି । ରିପୋର୍ଟ ଅନୁଯାୟୀ ପ୍ରାୟ ୭୧ ପ୍ରତିଶତ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ କିଛି ସ୍ଥାନରେ ଭୋଟ୍ ବେଳେ ବିଶୃଙ୍ଖଳା ଦେଖିବାକୁ ମିଳିଛି । ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କିଛି ବୁଥ୍ ରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ।ସେହିପରି ବାଲାଟ୍ ପେପରରେ ତୃଟି ଯୋଗୁଁ କିଛି ସ୍ଥାନରେ ପୁନଃନିର୍ବାଚନ ହୋଇପାରେ । ଏସମ୍ପର୍କରେ ଜିଲ୍ଲାପାଳମାନଙ୍କ ଠାରୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିବା ପରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବେ ।
ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୩ ପ୍ରତିଶତ ଭୋଟିଂ ହୋଇଥିଲା । କୋଟିଆରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଚାଲିଛି । ସେଠାରେ ମଧ୍ୟାହ୍ନ ୧୨ଟା ସୁଦ୍ଧା ୪୦ ପ୍ରତିଶତ ଭୋଟିଂ ହୋଇଥିଲା । ଓଡ଼ିଶା ପଂଚାୟତିରାଜ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା । ଅପରାହ୍ନ ୧ଟା ଯାଏଁ ଭୋଟ ଗ୍ରହଣ କରାଯାଇଥିଲା । ଏହି ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୦ ହଜାର ୪୩୬ଟି ବୁଥ୍ ରେ ମତଦାନ କରାଯାଇଥିଲା । ସେଥିରୁ ୩ ହଜାର୬୫ଟି ସମ୍ବେଦନଶୀଳ ବୁଥ୍ ଥିଲା । ସେହିପରି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ମୋଟ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।