-
ସାମ୍ବାଦିକଙ୍କୁ ଆକ୍ରମଣ ନିନ୍ଦା କଲେ ସତ୍ୟବାଦୀ ବିଧାୟକ
ପ୍ରଥମ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି । ଧାର୍ଯ୍ୟ ସମୟ ଦିନ ୧ଟା ସୁଦ୍ଧା ୬୦% ରୁ ଅଧିକ ମତଦାନ ହୋଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୩ ସ୍ଥାନରେ ନିର୍ବାଚନ ବନ୍ଦ ରହିଛି । ମତଦାନ ବେଳେ କିଛି ଜାଗାରେ ହିଂସାକାଣ୍ଡ ଦେଖିବାକୁ ମିଳିଛି ।
ପୁରୀର ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ୍ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର ୪ ନମ୍ବର ବୁଥ୍ ରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪୦ ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଅଭିଯୋଗ ଅନୁଯାୟୀ ତିଛିଣି ଗାଁର ଲୋକମାନେ ଭୋଟ ଦେଉଥିବା ବେଳେ କିଛ ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିବାରୁ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଠେଙ୍ଗା ଓ ଲାଠିରେ ଉଭୟ ଗୋଷ୍ଠୀ ପରଷ୍ପରକୁ ଆକ୍ରମଣ କରିବାରୁ ୪୦ ରୁ ଅଧିକ ଆହତ ହୋଇଛନ୍ତି । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିଲେ ମଧ୍ୟ ସେଠାରେ ଉତ୍ତେଜନା ଲାଗି ରହିଥିବା ଖବର ମିଳିଛି ।
ଅନ୍ୟପକ୍ଷରେ ବ୍ରହ୍ମଗିରି ଚାପମାଣିକ ପଞ୍ଚାୟତର କାଶିଝରିଆ ଗାଁ ୯ ନଂ ବୁଥ୍ ରେ ପଶି ଜଣେ ଦୁର୍ବୃତ୍ତ ଭୋଟ ବାକ୍ସ ନେଇ ପଳାଇଥିବା ଜଣାପଡ଼ିଛି ।
ସେପଟେ ପୁରୀ ଜିଲ୍ଲା କଣାସ ବ୍ଲକ୍ ବଢ଼ାଳ ପଞ୍ଚାୟତରେ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକମାନେ ଦୁର୍ବୃତ୍ତ ମାନଙ୍କ ଆକ୍ରମଣର ଶିକାର ହୋଇଥିବା ଜଣାପଡ଼ିଛି । ବୁଥ୍ ଜବରଦଖଲ ଖବର ପାଇ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି । ଦୁର୍ବୃତ୍ତମାନେ ନ୍ୟୁଜ୍ ୧୮ ସାମ୍ବାଦିକ ସୁମନ୍ତ ସୁନ୍ଦରାୟ, କ୍ୟାମେରାମ୍ୟାନ ଚିତ୍ତନ ସ୍ୱାଇଁ ଏବଂ ନୁ୍ୟଜ୍ ୭ ସାମ୍ବାଦିକ ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ୍ ରବି ତ୍ରିପାଠୀଙ୍କୁ ମାଡ଼ ମାରିବା ସହ ସେମାନଙ୍କ କ୍ୟାମେରା ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।
ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ଉମାକାନ୍ତ ସାମନ୍ତରାୟ । ଏଭଳି ଘଟଣାକୁ ସେ ନିନ୍ଦା କରିବା ସହିତ ଜିଲ୍ଲାପାଳ ଓ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଯାଥା ଶୀଘ୍ର ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ଗଡ଼ିଶାଗୋଦା ଥାନା ଅଧିକାରୀଙ୍କୁ ଜଣାଇଛନ୍ତି I
ଭୋଟ ବେଳେ କାଁ ଭାଁ ଆଉ କିଛି ସ୍ଥାନରେ ଉତ୍ତେଜନା, ଗଣ୍ଡଗୋଳ ହୋଇଥିବା ଖବର ଆସୁଛି । ତେବେ ସମ୍ପୂର୍ଣ୍ଣ ରିପୋର୍ଟକୁ ଅପେକ୍ଷା କରାଯାଇଛି ।
ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ମୋଟ ୨୩ ଟି ସ୍ଥାନରେ ନିର୍ବାଚନକୁ ବନ୍ଦ କରାଯାଇଥିବା ନିର୍ବାଚନ କମିସନଙ୍କ ପକ୍ଷରୁ ସୂଚନା ମିଳିଛି । ସେଥିମଧ୍ୟରେ ଗୋଟିଏ ଜିଲ୍ଲା ପରିଷଦ, ୬ ଟି ସରପଞ୍ଚ , ୩ ଟି ପଞ୍ଚାୟତ ସମିତି ସଭ୍ୟ ଏବଂ ୧୩ ଟି ୱାର୍ଡମେମ୍ବର ପଦବୀରେ ନିର୍ବାଚନ ବନ୍ଦ ହୋଇଛି ।