
ପୁରୀ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ଆସନ୍ତାକାଲି ଅର୍ଥାତ ୧୮ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ ହେବ । ନିମାପଡା ବ୍ଲକର ୩୨ଟି ଗ୍ରାମ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୪୮୧ଟି ୱାର୍ଡ, ୪ଟି ଜିଲ୍ଲା ପରିଷଦ ଜୋନ ଏବଂ ଗୋପ ବ୍ଲକର ୩୧ଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ, ୪୫୯ଟି ୱାର୍ଡ, ୪ଟି ଜିଲ୍ଲା ପରିଷଦ ଜୋନ ନିମନ୍ତେ ମତଦାନ ହେବ । ଉକ୍ତ ଦୁଇଟି ବ୍ଲକର ୬୩ଟି ଗ୍ରାମପଞ୍ଚାୟତର ୯୪୦ଟି ୱାର୍ଡ ଓ ୮ଟି ଜିଲ୍ଲା ପରିଷଦ ଜୋନରେ ମତଦାନ ହେବ । ନିମାପଡାରେ ୧୦୦ ଜଣ ସରପଞ୍ଚ, ୯୩ ଜଣ ସମିତି ସଭ୍ୟ, ୯୦୭ ଜଣ ୱାର୍ଡମେମ୍ବର, ୧୮ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ, ଗୋପ ବ୍ଲକରେ ୧୦୩ ଜଣ ସରପଞ୍ଚ, ୧୦୧ ଜଣ ସମିତି ସଭ୍ୟ, ୯୧୭ ଜଣ ୱାର୍ଡମେମ୍ବର, ୧୮ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଏହି ପର୍ଯ୍ୟାୟରେ ନିମାପଡା ବ୍ଲକରେ ୧୫୭୭୩୬ ଜଣ ଭୋଟର, ଗୋପର ୧୪୫୭୯୧ ଜଣ ଭୋଟରଙ୍କୁ ମିଶାଇ ମୋଟ୍ ୩୦୩୫୨୭ ଜଣ ମତଦାତା ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ଏଥିନିମନ୍ତେ ନିମାପଡା ପାଇଁ ୩୩ ଜଣ ଏବଂ ଗୋପ ପାଇଁ ୩୦ ଜଣ ସେକ୍ଟର ଅଫିସର ନିଯୁକ୍ତ ହୋଇଛନ୍ତି । ଉଭୟ ବ୍ଲକରେ ୨୧୯ଟି ସମ୍ବେଦନଶୀଳ ମତଦାନ କେନ୍ଦ୍ର ରହିଛି । ଏତଦବ୍ୟତୀତ ଗୋପ ବ୍ଲକ ଗୋପ ପଞ୍ଚାୟତର ୩ନଂ ୱାର୍ଡ, ନିମାପଡାର ତେରୁଣ୍ତିଆ ପଞ୍ଚାୟତର ୧୬ନଂ ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ୟବସ୍ଥା କରାଯାଇଛି ଯେଉଁଠାରେ ମତଦାନ ପରିଚାଳନା ନିମନ୍ତେ ସମସ୍ତ ପୋଲିଂ କର୍ମଚାରୀ ମହିଳା ହିଁ ରହିବେ । ଗତକାଲି ଠାରୁ ପୋଲିଂ ପାର୍ଟିମାନେ ସମ୍ପୃକ୍ତ ବ୍ଲକରେ ରିପୋର୍ଟିଂ କରିବା ପରେ ସେମାନଙ୍କ ମତଦାନ କେନ୍ଦ୍ରରେ ପହଞ୍ଚି ସାରିଛନ୍ତି । ଆସନ୍ତାକାଲି ସକାଳ ୭ ଟାରୁ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ମତଦାନ ହୋଇ ଆସନ୍ତା ୨୬ ତାରିଖରେ ସମ୍ପୃକ୍ତ ବ୍ଲକରେ ଭୋଟ ଗଣତି ହେବ । ଅବାଧ ଓ ନିରପେକ୍ଷ ମତଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ଗତକାଲି କାଁ ଭାଁ କେତୋଟି ୱାର୍ଡକୁ ଛାଡିଦେଲେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିପୂର୍ଣ୍ଣ ରହିଛି । କୃଷ୍ଣପ୍ରସାଦ, ବ୍ରହ୍ମଗିରି ଓ କଣାସ ବ୍ଲକରେ ୭୬.୩୨ ପ୍ରତିଶତ ମତଦାନ ହୋଇଛି । ସମସ୍ତ ଭୋଟ ବାକ୍ସକୁ ସମ୍ପୃକ୍ତ ବ୍ଲକର ଷ୍ଟ୍ରଙ୍ଗ ରୁମରେ ରଖାଯାଇ ଏହାକୁ ସିଲ୍ କରାଯିବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।