
ବଲାଙ୍ଗିର, ପୂର୍ବରୁ ଜିଲା ଉପଖଣ୍ଡ ଓ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ହୋଇ ଗ୍ରାମର ପାନୀୟ ଜଳ ସମସ୍ୟା ନେଇ ଦାବି ଉପସ୍ଥାପନ କରିଥିବା ସତ୍ତ୍ୱେ ସମସ୍ୟା ସମାଧାନର ବ୍ୟବସ୍ଥା ହୋଇନଥିବାରୁ ଗତକାଲି ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ଭୋଟ ଦାନରୁ ବିରତ ରହିଛନ୍ତି ଗ୍ରାମର ସବୁ ପରିବାର । ଗତକାଲି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ଲରମ୍ଭା ପଞ୍ଚାୟତ ଖୁରିପାଣି ଗାଁରେ ପାନୀୟ ଜଳ ସମସ୍ୟା ନେଇ ଗାଁର ୭୩ଟି ପରିବାର ଭୋଟ ବର୍ଜନ କରିଥିବା ଜଣାପଡ଼ିଛି ।
ଅଭିଯୋଗ ଅନୁଯାୟୀ, ଫ୍ଲୋରାଇଡ ମିଶ୍ରିତ ପାନୀୟ ଜଳ ପିଇ ଗାଁର ଅନେକ ଲୋକେ କିଡନୀ ରୋଗରେ ପ୍ରାଣ ହରାଇଛନ୍ତି । ଏପରିକି ବର୍ତ୍ତମାନ ଗାଁର ୨୨ ଜଣ ଲୋକ କିଡନୀ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀ ଦୀର୍ଘ ଦିନରୁ ପ୍ରଶାସନ ଓ ନେତା ମନ୍ତ୍ରୀଙ୍କୁୁୁ ଜଣାଇ ଆସୁଥିଲେ ମଧ୍ୟ କେହି ବି ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଦେଲେନି । ଏଣୁ ଏହାର ପ୍ରତିବାଦରେ ଗାଁର ୭୩ଟି ପରିବାର ଭୋଟ ବର୍ଜନ କରିଥିବା ଜଣାପଡ଼ିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଡ. ପୁଷ୍ପାଞ୍ଜଳି ପଣ୍ଡା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପାଇଁ ଯାଇ ଚେଷ୍ଟା କରିଥିଲେ ବି କିଛି ସୁଫଳ ମିଳିନଥିଲା । ଗ୍ରାମବାସୀ ନିଜ ଜିଦ୍ ରେ ଅଟଳ ରହି ଭୋଟ୍ ଦେବାକୁ ଯାଇ ନଥିଲେ ।