
ପୁରୀ, ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡାଲ ବୁଥ୍ ରେ କେତେକ ବ୍ୟକ୍ତି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିବା ସହ କ୍ୟାମେରା ଭାଙ୍ଗି ଦେଇଥିଲେ । ଏହି ଘଟଣାରେ ପୋଲିସ ଗଡ଼ିଶାଗଦା ଥାନାରେ ୫୦/୨୨, ୫୧/୨୨ ରେ ପୃଥକ୍ ପୃଥକ୍ ମାମଲା ରୁଜ୍ଜୁ କରି ଘଟଣାର ଛାନଭିନ୍ କରିଥିଲା । ଏହି ଘଟଣାରେ ଜଡ଼ିତ ୮ ଜଣଙ୍କୁ ଗତକାଲି ରାତିରେ ପୋଲିସ ବିଭିନ୍ନ ସ୍ଥାନରୁ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ବଡାଲ ଗ୍ରାମର ସତ୍ୟପ୍ରିୟ ମହାରଣା (୪୦), ବିଜୟ ସ୍ୱାଇଁ (୩୦), ସୁବାଷ ମାଝି (୩୬), ନିକୁଞ୍ଜ ସ୍ୱାଇଁ (୫୭), ଉତମ ଭୁଜବଳ (୨୧), ଅଜୟ ବରିସାଲ (୩୮), ବିଦ୍ୟାଧର ସ୍ୱାଇଁ (୪୦), ବ୍ରଜବନ୍ଧୁ ସ୍ୱାଇଁ (୬୦) । ଘଟଣାସ୍ଥଳରୁ ଗୋଟିଏ ମୋବାଇଲ ଫୋନ୍, ଦୁଇଟି ବୁମ୍, କିଛି ତାର, ଲାଇଭ୍ ଟେଲିକାଷ୍ଟ ମେସିନ ଓ ଅନ୍ୟ ସାମଗ୍ରୀକୁ ପୋଲିସ ଜବତ କରିଛି । ଅତିରିକ୍ତ ଏସପି ପି. ପ୍ରଧାନ, ସଦର ଏସଡିପିଓ କେ.ସି. ମୁଣ୍ଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ଅଭିଯୁକ୍ତ ମାନଙ୍କୁ ଧରିବାରେ ସଫଳ ହୋଇଥିଲେ । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।
ପ୍ରକାଶ ଥାଉକି, ବଡାଲ ବୁଥରେ ଗତକାଲି ଭୋଟ୍ ଗ୍ରହଣ ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ ଅଭିଯୋଗ ହୋଇଥିଲା । ଖବର ସଂଗ୍ରହ ପାଇଁ ଯାଇଥିବା ବେଳେ ଦୁଇ ବୈଦ୍ୟୁତିକ ଗଣମାଧ୍ୟମର ୪ ପ୍ରତିନିଧିଙ୍କୁ ଦୁର୍ବୃତ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଅନ୍ୟପକ୍ଷରେ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ଘଟଣାକୁ ନିନ୍ଦା କରାଯିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରାଯାଇଥିଲା ।