ଭୁବନେଶ୍ୱର ,ରାଜ୍ୟରେ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯାୟ ନିର୍ବାଚନୀ ହିଂସାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେପି । ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ କମିଶନଙ୍କୁ ଭେଟି ଦଳ ଏକ ଦାବିପତ୍ର ପ୍ରଦାନ କରିଛି ।
ଏଥିରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନରେ ବ୍ୟାପକ ଅନିୟମିତତା ହୋଇଛି । କମିଶନଙ୍କ ଦାୟିତ୍ୱରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା । ଭୋଟ୍ କେନ୍ଦ୍ରରେ ସରକାରୀ କଳକୁ ଅପବ୍ୟବହାର କରାଯାଇଛି । ପ୍ରିଜାଇଡ଼ିଂ ଅଫିସରମାନେ ଶାସକ ଦଳ କର୍ମୀ ଭଳି କାମ କରିଛନ୍ତି ବୋଲି ଏଥିରେ ଅଭିଯୋଗ କରାଯାଇଛି ।
ଏହାସହ ଭୋଟ୍ ସରିବା ପରେ ଦିଆଯାଉଥିବା ୧୧(ଏ) ଫର୍ମ ଯାହା ମାଧ୍ୟମରେ କେତେ ବାଲାଟ ପେପର ଇସ୍ୟୁ ହୋଇଛି, କେତେ ବ୍ୟବହାର ହେଲା, କେତେ ପୁରୁଷ, କେତେ ମହିଳା ତାହାର ହିସାବ ରଖିବା ପାଇଁ ଆଇନ ଅଛି । କିନ୍ତୁ ରାଜ୍ୟରେ ପ୍ରାୟ ୭୦ରୁ ୮୦ପ୍ରତିଶତ ସ୍ଥାନରେ କମିଶନଙ୍କ ନିର୍ଦ୍ଦେଶ ନାହିଁ କହି ଦିଆଗଲା ନାହିଁ । ଏହାକୁ ମଧ୍ୟ କମିଶନଙ୍କ ନଜରକୁ ଅଣାଯାଇଛି ବୋଲି ଦଳ ପକ୍ଷରୁ ସୂଚନା ଦିଆ ଯାଇଛି ।
ଏହାସହ ନିର୍ବାଚନ ସମୟରେ ହୋଇଥିବା ବ୍ୟାପକ ହିଂସାକାଣ୍ଡର ତଥ୍ୟ ପ୍ରମାଣ ମଧ୍ୟ ନିର୍ବାଚନ କମିଶନଙ୍କୁ ଦିଆଯାଇଥିବା ବିଜେପି ପକ୍ଷରୁ ପ୍ରକାଶ କରାଯାଇଛି । । କମିଶନ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ନାଗରିକଙ୍କୁ ନିଶ୍ଚିତ କରିବା ଦରକାର । ନିର୍ବାଚନ କମିଶନ ହିଂସାକାଣ୍ଡକୁ କେମିତି ରୋକିବେ ସେ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି ।