ଭୁବନେଶ୍ୱର,ଗୋଟିଏ ଦୁଇଟି ସ୍ଥାନରେ କାଁଭାଁ ଗଣ୍ଡଗୋଳର ଖବର ମଧ୍ୟରେ ମୋଟାମୋଟି ଭାବେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ-୨୦୨୨ର ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଶାନ୍ତିପୂର୍ଣ ଭାବେ ସୁଚାରୁରୂପେ ସମାପ୍ତ ହୋଇଛି । ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୧୬୬୯ଟି ଗ୍ରାମପଂଚାୟତର ୬୭ଲକ୍ଷ ୫୧ହଜାର ମତଦାତା ୨୨୩୭୯ଟି ମତଦାନ କେନ୍ଦ୍ରରେ ଲୋକ ମାନେ ସେମାନଙ୍କର ମତାଧିକାର ପ୍ରୟୋଗ କରିଛନ୍ତି । ଲୋକ ମାନେ ନିଜ ଅଂଚଳର ସରପଂଚ, ସମିତି ସଭ୍ୟ, ୱାର୍ଡ ମେମ୍ବର ଏବଂ ୨୦୦ଟି ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ଭୋଟ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କିଛି ସ୍ଥାନରେ ଲୋକ ମାନେ ଭୋଟ ବର୍ଜନ କରିଥିବା ମଧ୍ୟ ସୂଚନା ମିଳିଛି । ଆଜି ସକାଳ ୭ଟା ବେଳେ ମତଦାନ ଆରମ୍ଭ ହୋଇ ଦିନ ଗୋଟାଏ ଯାଏ ଚାଲିଥିଲା ।
ନିର୍ବାଚନ ବେଳେ ସମ୍ବେଦନଶୀଳ ଅଂଚଳରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା । । ଶାନ୍ତିଶୃଙ୍ଖଳା ପାଇଁ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ କୋଭିଡ-୧୯ କଟକଣାକୁ ପାଳନ କରାଯାଇଥିଲା । ମତଦାନ ପାଇଁ ବୁଥ ଗୁଡ଼ିକରେ ସକାଳୁ ମତଦାତାଙ୍କ ଆଗମନ ଆରମ୍ଭ ହୋଇଥିଲା । ପ୍ରତ୍ୟେକ ମତଦାତା ଯେପରି ଶୃଙ୍ଖଳିତ ଭାବେ ଭୋଟ ଦେଇପାରିବେ ସେଥିପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଥିଲା ।
ଦିନ ୧୧ଟା ସୁଦ୍ଧା ରାଜ୍ୟରେ ୩୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ଏହି ସୂଚନା ଦେଇ ଥିଲେ ।