ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ସୁନାଖେଳା କହ୍ନେଇପୁର ଛକରେ ଆଜି ପୂର୍ବାହ୍ନରେ ଏକ ସ୍କୁଟି ପଛରେ କାର୍ ଧକ୍କା ଦେବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ମୃତ ମହିଳାଙ୍କ ନାମ ଛଇଳ ଘଡ଼େଇ । କାର୍ ଟି ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କର ହୋଇଥିବା ବେଳେ ଦୁର୍ଘଟଣା ବେଳେ ସେ ଗାଡିରେ ଥିବା ଜଣାପଡିଛି ।
ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଛଇଳ ନିଜ ଦୁଇ ପିଲା ଓ ନଣନ୍ଦେଇଙ୍କ ସହିତ ବାପଘର ନାଚୁଣୀ ଫାଣ୍ଡି ଅନ୍ତର୍ଗତ କୁମାଣ୍ଡଳ ଗ୍ରାମରୁ ନୟାଗଡ଼ ଜିଲ୍ଲା ଓଡ଼ଗାଁର ଶଙ୍ଖେଇ ଗ୍ରାମକୁ ଯାଉଥିଲେ । ଏହି ସମୟରେ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କ କାର୍ ତାଙ୍କ ସ୍କୁଟିକୁ ପଛରୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରୁ ଛିଟିକି ପଡି ସମସ୍ତେ ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବାଲୁଗାଁ ଡାକ୍ତରଖାନାରେ ଭର୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ଛଇଳଙ୍କୁ ମୃତ ଘୋଷଣା କରିଥିଲେ । ବାଣପୁର ପୋଲିସ ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ କାର୍ ଡ୍ରାଇଭରକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।