-
ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍ ଗ୍ରହଣ
ଭୁବନେଶ୍ୱର, ଆସନ୍ତାକାଲି (ବୁଧବାର) ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ । ଭୋଟ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଆଜି ଅପରାହ୍ଣ ସୁଦ୍ଧା ପୋଲିଂ ପାର୍ଟି ବୁଥରେ ପହଂଚିବେ । ଆସନ୍ତାକାଲି ସକାଳ ୭ଟାରୁ ଦିନ ୧ଟା ଯାଏ ଭୋଟ୍ ଗ୍ରହଣ ଚାଲିବ । ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଛି । ଏଥିରୁ ୩୩୫୭ଟି ବୁଥ୍ ଉତେଜନା ପ୍ରବଣ । ଏହାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ଅଂଚଳରେ ପୁଲିସ ଫ୍ଲାଗମାର୍ଚ୍ଚ କରୁଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯାଇଛି ।
ସେ ଆହୁରି କହିଛନ୍ତି, ବୁଧବାର ୩୦ଟି ଜିଲ୍ଲାର ୭୧ଟି ବ୍ଲକର ୨୦୨ଟି ଜିଲ୍ଲା ପରିଷଦ ଜୋନ୍, ୧୬୬୯ଟି ସରପଂଚ, ୧୬୬୯ଟି ପଂଚାୟତ ସମିତି ସଭ୍ୟ ଓ ୨୦ହଜାରରୁ ଅଧିକ ୱାର୍ଡ ମେମ୍ବର ପଦବୀ ପାଇଁ ୨୨୩୭୯ଟି ବୁଥରେ ମତଦାନ ହେବ । ୬୭ଲକ୍ଷ ୫୧ହଜାର ୬୮ଜଣ ମତଦାତା ଭୋଟ୍ ଦେବେ । ମତଦାତାମାନେ ଭାରତର ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରଦତ ଭୋଟର ପରିଚୟ ପତ୍ର ଦେଖାଇ ମତଦାନ କରିପାରିବେ । ଏହାଛଡ଼ା ଏଥିଲାଗି ଅନ୍ୟ ୧୩ଟି ଦସ୍ତାବିଜ୍ ଭିତରୁ କୌଣସି ଗୋଟିଏ ବି ଦେଖାଇପାରିବେ । ଏହି ସମୟରେ କୋଭିଡ କଟକଣା ମାନିବାକୁ ଓ ସାମାଜିକ ଦୂରତା ବଜାୟ ରଖିବାକୁ ରାଜ୍ୟ ନିର୍ବାଚନ କମିଶନର ଭୋଟରମାନଙ୍କୁ ଅନୁରୋଧ କରିଛନ୍ତି ।
ନିର୍ବାଚନକୁ ସୁରୁଖୁରୁ କରିବାପାଇଁ ମୋଟ୍ ୩୭,୨୪୫ ପୋଲିସ୍ କର୍ମଚାରୀ , ୨୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ନିୟୋଜିତ ହୋଇଛନ୍ତି ।
ଏଥର ୫ଟି ପର୍ଯ୍ୟାୟରେ ୧୬ରୁ ୨୪ ତାରିଖ ମଧ୍ୟରେ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ପଂଚାୟତ ନିର୍ବାଚନରେ ୬୭୯୪ ଗ୍ରାମପଂଚାୟତର ୯୧,୯୧୩ ୱାର୍ଡରେ ୨ କୋଟି ୭୯ ଲକ୍ଷରୁ ଅଧିକ ଲୋକ ମତଦାନ ଅଧିକାର ସାବ୍ୟସ୍ତ କରିବେ । ୯୧,୯୧୩ଟି ବୁଥ୍ ଭିତରୁ ୧୩, ୭୮୫ଟି ବୁଥ୍ ଉତେଜନା ପ୍ରବଣ ରହିଛି ।