ଭୁବନେଶ୍ୱର, ମହାତ୍ମା ଗାନ୍ଧୀଙ୍କର ଭାରତ ବର୍ଷରେ ଆଜି ଯେଉଁଭଳି ଭାବରେ ହିଂସା, ଦ୍ୱେଷ, ଘୃଣା, ଦୁର୍ନୀତି, ଭ୍ରଷ୍ଟାଚାର ଓ ନାରୀ ନିର୍ଯ୍ୟାତନା ହୁ ହୁ ହୋଇ ବଢ଼ିଚାଲିଛି, ତଦ୍ୱାରା ମହାତ୍ମା ଗାନ୍ଧୀ, ନେହେରୁ, ପଟେଲ ଇତ୍ୟାଦି ମହାମନିଷଙ୍କର ସ୍ୱପ୍ନକୁ ଯେ ଆମେ ପ୍ରତିଦିନ କୁଠାରଘାତ କରୁଛୁ,ଏହା ମୋତେ ବ୍ୟକ୍ତିଗତ ଭାବେ ବହୁ ବ୍ୟଥିତ କରୁଛି । ଆମେ ସମସ୍ତେ ଯେଉଁମାନେ ରାଜନୀତି କରୁଛୁ, ଏବଂ ସାଧାରଣ ଜୀବନରେ ଅଛୁ, ସେମାନଙ୍କର ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ବିନା ଏଭଳି ଦୁର୍ନୀତି, ହିଂସା, ଭ୍ରଷ୍ଟାଚାର ବୃଦ୍ଧି ସମ୍ଭବ ହୋଇପାରିବ ନାହିଁ । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।
ସେ କହିଛନ୍ତି ଯେ ଏ ରାଜ୍ୟରେ ୨୨ ବର୍ଷର ବିଜେଡ଼ି ସରକାର କେବଳ ଲୋକମାନଙ୍କୁ ପ୍ରତିଶ୍ରୁତି ଓ ପ୍ରତାରଣାଛଡ଼ା ସାଧାରଣ ଜନତାଙ୍କର ସମସ୍ୟାକୁ ଦୂର କରିବାରେ ଅସମର୍ଥ ହୋଇଛି । ସୋରରେ ଜଣେ ବୟସ୍କ ପୂର୍ବତନ ବିଧାୟକ ବର୍ତମାନର ସୋର ବିଜେଡ଼ି ବିଧାୟକ ପର୍ଶୁରାମ ଧଡ଼ାଙ୍କୁ ପଂଚାୟତକୁ ଆସିଥିବା ଅର୍ଥ ବାବଦରେ ପ୍ରଶ୍ନଟିଏ ପଚାରିଥିଲେ । ଏଥିଯୋଗୁଁ ବିଜେଡ଼ି ବିଧାୟକପୂର୍ବତନ ବିଧାୟକଙ୍କୁ ମାରିବା ଓ ତାଙ୍କୁ ଅପମାନିତ କରିବା ଆମ ଗଣତନ୍ତ୍ର ପ୍ରତି ଉପହାସ କି ନାହିଁ? ମୁଖ୍ୟମନ୍ତ୍ରୀ ସ୍ୱଚ୍ଛତାର ଡିଣ୍ଡିମ ପିଟୁଛନ୍ତି ଯଦି ଏ ରାଜ୍ୟର ଶାସନ ବ୍ୟବସ୍ଥା ସ୍ୱଚ୍ଛ ତାହାହେଲ ଅଙ୍ଗନୱାଡ଼ି କର୍ମଚାରୀ, କନେଷ୍ଟବଳ, କିରାଣୀ ଓ ଏମାନଙ୍କ ପାଖରୁ କୋଟି କୋଟି ଟଙ୍କାର ଆୟବର୍ହିଭୂତ ସଂପତି ଆସୁଛି କେଉଁଠୁ? ଯଦି ଏମାନଙ୍କ ପାଖରୁ ଏତେ ଟଙ୍କା ବାହାରୁଛି ତାହାହେଲେ ୨୨ ବର୍ଷର ସରକାରଙ୍କର ଏମଏଲଏ, ମନ୍ତ୍ରୀ ଓ ଦଳର ବିଭିନ୍ନ ଛାମୁଆ ତଥା ବଡ଼ ବଡ଼ ବାବୁମାନଙ୍କ ପାଖରେ କେତେ ଶହ କୋଟି ଟଙ୍କା ଅଛି । ଏସବୁର ହିସାବ ନବୀନ ବାବୁ ୨୨ ବର୍ଷଭିତରେ ଥରୁଟିଏ ଦେଲେ ନାହିଁ ।
ପରିବର୍ତନ ଆପେ ଆପେ ଆସେ ନାହିଁ ଜନସାଧାରଣଙ୍କ ଦ୍ୱାରା ପରିବର୍ତନ ହିଁ ଆସେ । ତେଣୁ ଓଡ଼ିଶାବାସୀ ଏକ ଯୋଗ୍ୟ ପ୍ରାର୍ଥୀଙ୍କୁ ବିଚାର କରି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ନିର୍ବାଚିତ କରିବାକୁ ସେ ଅନୁରୋଧ କରିଛନ୍ତି । ଲୋକ ବୁଝିଥିଲେ କଂଗ୍ରେସ ଭଲ ଭୋଟ ପାଇବ ଦୁର୍ନୀତି, ଭ୍ରଷ୍ଟାଚାର, ବାହୁବଳ ଓ ଅର୍ଥବଳ, ହିଂସା ଓ ନିର୍ଯ୍ୟାତନାକୁ ଯଦି ଆମେ ପୃଷ୍ଠପୋଷକତା କରିବୁ ଆମ ଗଣତନ୍ତ୍ର ନିଶ୍ଚୟ ଅଧିକରୁ ଅଧିକ ନିମ୍ନଗାମୀ ହେବ । ରାଜ୍ୟରେ ଓବିସିିସି ମାନଙ୍କୁ ନେଇ ଉଭୟ ରାଜନୈତିକ ଦଳ ବହୁତ କୁମ୍ଭୀର କାନ୍ଦଣା କାନ୍ଦନ୍ତି କିନ୍ତୁ ଏହି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ତାଙ୍କର ହକ୍କୁ ରାଜ୍ୟ ସରକାର ଓ କେନ୍ଦ୍ରରେ ଥିବା ବିଜେପି ସରକାର ଦେବାରେ ବିଫଳ । କିନ୍ତୁ ଏହି ତ୍ରିସ୍ତ୍ରରୀୟ ପଂଚାୟତ ନିର୍ବାଚନରେ କଂଗ୍ରେସ ୪୪.୭୮ ପ୍ରତିଶତ ଓବିସି ବର୍ଗରୁ ପ୍ରାର୍ଥୀ ଦେଇଛି । ଗାନ୍ଧୀଙ୍କ ନୀତି ଓ ଆଦର୍ଶକୁ ପାଥେୟ କରି ଆମେ ସମସ୍ତେ ରାଜନୀତି କରିବା ଉଚିତ ବୋଲି ଉପଦେଶ ଦେଇଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ।
ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଉପସଭାପତି ଯଜେ୍ଞଶ୍ୱର ବାବୁ, ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଅଭିଷେକ ମହାନନ୍ଦ, ପିସିସି ମୁଖପାତ୍ର ରଜନୀ ମହାନ୍ତି, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।