ମାଲକାନଗିରି, ଆଉ ମାତ୍ର କିଛି ଦିନ ପରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ । ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ଣତା ସେତେ ବୃଦ୍ଧି ପାଉଛି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ସବୁ ପ୍ରକାର କୌଶଳ ଆପଣାଉଛନ୍ତି ପ୍ରାର୍ଥୀ । ବର୍ତ୍ତମାନ ବିଭିନ୍ନ ଦଳର ପ୍ରଚାର ପ୍ରସାରରେ ଗାଁ ଦାଣ୍ଡ ପ୍ରକମ୍ପିତ । ମାଲକାନଗିରି ଜିଲ୍ଲାରେ ବି ବହୁଛି ନିର୍ବାଚନ ହାୱା । ଜିଲ୍ଲାରେ ଜୋରସୋର ଜମୁଛି ପ୍ରଚାର । ଇତିମଧ୍ୟରେ ବାହାର ଜିଲ୍ଲା ନେତାଙ୍କ ପ୍ରଭାବ ଯୋଗୁଁ ରହୁନି ମାଲକାନଗିରିରେ ସ୍ଥାନୀୟ ବରିଷ୍ଠ ନେତାମାନଙ୍କ ଗୁରୁତ୍ବ । ଦଳ ମଧ୍ୟରେ ଫାଟ, ମନରେ ଅଶାନ୍ତି, ଅସନ୍ତୋଷ କ୍ରମଶଃ ବଢିବାରେ ଲାଗିଛି । ଦଳୀୟ କର୍ମୀମାନେ ଜାଣିପାରୁ ନାହାଁନ୍ତି ସେମାନେ କାହା ନିର୍ଦ୍ଦେଶରେ କାର୍ଯ୍ୟ କରିବେ ଏବଂ ତାଙ୍କ ଦଳର ତୁଙ୍ଗ ନେତା କିଏ ? ଏଭଳି ପରିସ୍ଥିତିରେ ନିର୍ବାଚନ ବୈତରଣୀ କିଭଳି ପାର୍ ହେବେ ଦଳୀୟ ପ୍ରାର୍ଥୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି । ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନର ଲହରି ଚାଲିଥିବା ବେଳେ ପ୍ରତ୍ୟେକ ଜିଲ୍ଲାର ଦଳୀୟ ନେତୃବୃନ୍ଦ ଚେଷ୍ଟା କରନ୍ତି ଲୋକ ମତ କିଭଳି ନିଜ ନିଜ ଦଳକୁ ମିଳିବ । ଏପରି ପରିସ୍ଥିତିରେ ଦଳ ପକ୍ଷରୁ ନିଜ ଅଞ୍ଚଳର ଜଣେ ବରିଷ୍ଠ ରାଜନୈତିକ ନେତାଙ୍କୁ ଦାୟିତ୍ବ ଦିଆଯାଇଥାଏ ।
ମାଲକାନଗିରି ଜିଲ୍ଲା ପାଇଁ ବିଜୁ ଜନତା ଦଳର ଦାୟିତ୍ୱ ସାଲେପୁର ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ଦିଆଯାଇଥିବା ବେଳେ ତାଙ୍କ ସହ ଓଡିଶା ବିହନ ନିଗମ ଅଧ୍ୟକ୍ଷ ତଥା କୋରାପୁଟ ଜିଲ୍ଲା ବିଜେଡି ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରାହୀ ଦଳର ସମସ୍ତ କଥା ବୁଝୁଛନ୍ତି । ବିଜେଡିର ହେବିୱେଟ୍ ନେତା କୁହାଯାଉଥିବା ପ୍ରଣବ ପ୍ରକାଶ ଦାସ ତଥା ବବି ଭାଇଙ୍କ ପତିଆରା ମାଲକାନଗିରି ଜିଲ୍ଲାରେ ବହୁତ ରହିଥିବା ବିରୋଧୀ ଅନୁମାନ କରି ନିଜ ମତ ପ୍ରକାଶ କରିଛନ୍ତି । ମାଲକାନଗିରି ବିଜେଡିର ଜିଲ୍ଲା ସଭାପତି ଭାବେ ନିଜେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ରହିଥିବା ବେଳେ ସେ ତାଙ୍କ ପରିବାରବାଦ ରାଜନୀତିରେ ସମୟ ଦେଉଥିବା ଦେଖିବାକୁ ମିଳିଛି । ମାଲକାନଗିରିର ପୂର୍ବତନ ବିଧାୟକ ମାନସ ମାଡକାମି ଦଳ ପାଇଁ ନିଜେ ପ୍ରଚାରକୁ ଓହ୍ଲାଇ ଥିବାବେଳେ ସେ ବି ଅନ୍ୟ ଜିଲ୍ଲାର ନେତାଙ୍କ ନିଷ୍ପତ୍ତି ଉପରେ ନିର୍ଭରଶୀଳ । ସେ ଜଣେ ବିଜେଡିର ଦଳୀୟ ନେତା ତଥା କ୍ଷମତା ବିହିନ ନେତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ଦଳ ତାଙ୍କର କୌଣସି କଥାକୁ ଗୁରୁତ୍ବ ଦେଉନଥିବାରୁ ବାହାର ଜିଲ୍ଲାର ନେତାଙ୍କ ଇସାରାରେ ପରିଚାଳିତ ହୋଇ ସେ ଚାପଗ୍ରସ୍ତରେ ଥିବାନେଇ ଆଲୋଚନା ହେଉଛି । ବିଜେଡିର ପୂର୍ବତନ ଚିତ୍ରକୋଣ୍ଡା ବିଧାୟକ ଡମ୍ବରୁ ଶିଶା ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ୍ମିନୀ ମୁଦୁଲିଙ୍କ ଭଳି ବରିଷ୍ଠ ନେତାଙ୍କୁ ବିଜେଡି ଅଣଦେଖା କରୁଥିବା ଜଣାପଡିଛି ।
ସେହିପରି ଜିଲ୍ଲା ବିଜେପି ଦଳରେ ଦେଖିବାକୁ ମିଳିଛି ସ୍ଥାନୀୟ ନେତାଙ୍କୁ ଅଣଦେଖା । ବର୍ତ୍ତମାନ ମାଲକାନଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ବିଜେପିର ଆଦିତ୍ୟ ମାଢି ରହିଥିବା ବେଳେ ସେ ଅସୁସ୍ଥ ଥିବାରୁ ନିର୍ବାଚନର ଦାୟିତ୍ବ ବହନ କରିନଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲା ବିଜେପି ସଭାପତି ନିମାଇ ଚନ୍ଦ୍ର ପାଲ୍ ନିଜେ ନିର୍ବାଚନ ପରିଚାଳନା କରୁଥିବାବେଳେ ମାଲକାନଗିରି ଜିଲ୍ଲାରେ ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ପୂର୍ବତନ ସାଂସଦ ତଥା ରାଜ୍ୟ ଉପ-ସଭାପତି ବଳଭଦ୍ର ମାଝୀ, କୋରାପୁଟ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ପ୍ରଭାରୀ କାଳିରାମ ମାଝୀ ଏବଂ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ଭଳି ବାହାର ଜିଲ୍ଲାର ନେତା ମାଲକାନଗିରି ଜିଲ୍ଲାରେ ନିଜ ପତିଆରା ବଢ଼ାଇବା ସହ ବିଜେପି ଦଳ ପାଇଁ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ୨୦୧୭ ପଞ୍ଚାୟତ ନିର୍ବାଚନରେ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ବିଜେପି ହାତରେ ରହିଥିବାରୁ ବର୍ତ୍ତମାନ ନିର୍ବାଚନରେ ପୁଣି ନିଜ ପୂର୍ବ ସ୍ଥିତି ବଜାୟ ରଖିବା ପାଇଁ ବିଜେପି ନେତାମାନେ ପ୍ରୟାସ ଜାରି କରିଛନ୍ତି ।
ଅନୁରୂପ ଭାବେ କଂଗ୍ରେସ ନେତାମାନଙ୍କ ମଧ୍ୟରୁ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର ନିଜେ ମଙ୍ଗ ଧରି ନିର୍ବାଚନ ପ୍ରଚାର କରୁଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ତଥା ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ ମାଲକାନଗିରି ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ବ ନେଇଛନ୍ତି । କିନ୍ତୁ, ମାଲକାନଗିରିର ପୂର୍ବତନ ବିଧାୟକ ନିମାଇ ଚନ୍ଦ୍ର ସରକାର ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଶ୍ରୀମତୀ ମମତା ମାଢିଙ୍କୁ କଂଗ୍ରେସ କୋଣଠେସା କରି ରଖିଛି । ଏହି ନିର୍ବାଚନରେ ସେମାନଙ୍କ ଭୂମିକା ଶୂନ୍ୟ । ପୂର୍ବତନ ସାଂସଦ ପ୍ରଦୀପ ମାଝି କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ କଂଗ୍ରେସର ସ୍ଥିତି ଦୁର୍ବଳ ହେବାରେ ଲାଗିଛି । ବର୍ତ୍ତମାନ ଗୋଟିଏ ଦଳର ନେତା ଅନ୍ୟ ଦଳର ନେତାଙ୍କ ଉପରେ କାଦୁଅ ଫିଙ୍ଗିବା ସହ ସମସ୍ତ ଦଳର ନେତାମାନେ ୧୫ ରୁ ୧୫ ଜିଲ୍ଲାପରିଷଦ ଆସନରେ ଜିତିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏଭଳି ସ୍ଥିତିରେ ଦଳୀୟ ପ୍ରାର୍ଥୀ ଓ ଭୋଟରଙ୍କ ମଧ୍ୟରେ ନିର୍ବାଚନକୁ ନେଇ ଆଶଙ୍କା ଦେଖାଦେଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨୦୧୭ରେ ବିଜେପିକୁ ୧୦ଟି , କଂଗ୍ରେସକୁ ୨ଟି ଏବଂ ଶାସକ ଦଳ ବିଜେଡିକୁ ମାତ୍ର ଗୋଟିଏ ଆସନ ମିଳିଥିଲା । ବର୍ତ୍ତମାନ ବାହାର ନେତାଙ୍କ ଅବାଧରେ ପ୍ରବେଶ ଯୋଗୁଁ ଦଳରେ ଗୋଷ୍ଠୀ କନ୍ଦଳ ଭିତରେ ଭିତରେ କୁହୁଳୁ ଥିବା ବେଳେ ବିଜେପି ପୁନଶ୍ଚ କ୍ଷମତାକୁ ଆସିବ ନା ବିଜେଡି କ୍ଷମତା ଦଖଲ କରିବ ତାକୁ ନେଇ ଏବେ ଦୁଇ ପ୍ରମୁଖ ଦଳର ନେତାଙ୍କ ଅଙ୍କକଷା ଚାଲିଛି ।