
ଭୁବନେଶ୍ୱର, ଓଡ଼ିଶା ହାଇକୋର୍ଟରେ ନବ ନିଯୁକ୍ତ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଶପଥ ନେଇଥିବା ବିଚାରପତିମାନେ ହେଲେ ଜଷ୍ଟିସ ଭି. ନରସିଂହ, ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ ମୁରାହରି ଶ୍ରୀରମଣ । ହାଇକୋର୍ଟ ନୂଆ ସମ୍ମିଳନୀ କକ୍ଷରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତିଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ । ତିନି ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ୨୧ରେ ପହଂଚିଛି ।
ଗତ ଜାନୁଆରୀ ୨୯ରେ ସୁପ୍ରିମକୋର୍ଟ କଲେଜିୟମ ୪ ଜଣଙ୍କ ନାଁକୁ ମଞ୍ଜୁରୀ ଦେଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବିଚାରପତି ଭାବେ ନିଯୁକ୍ତି ଦେବାକୁ ଗତ ସପ୍ତାହରେ ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।