
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶିଶୁ ଏବଂ ମହିଳା ବିକାଶ ସୋସାଇଟି (ସି ଡବ୍ଲୁ ଡି ଏସ ) ର ଚେୟାରମ୍ୟାନ ମେଜର ଡ଼ଃ କଳ୍ପନା ଦାସ ଙ୍କ ତତ୍ଵାବଧାନରେ, କରୋନା ମହାମାରୀ କୁ ମୁକାବିଲା କରିବା ପାଇଁ, ସେଣ୍ଟ୍ରାଲ୍ ଆୟୁର୍ବେଦ ଅନୁସନ୍ଧାନ ପ୍ରତିଷ୍ଠାନ ଭୁବନେଶ୍ବର ସହଯୋଗରେ କିନ୍ନର ମାନଙ୍କୁ କରୋନା ପ୍ରତିସେଧକ ବୃଦ୍ଧିକାରୀ ଔଷଧ ବଣ୍ଟନ କରାଯାଇଥିଲା | ରବିବାର ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ଡ ମହାବିଦ୍ୟାଳୟ ପରିସରରେ ଆୟୋଜିତ ଏହି କାର୍ଯକ୍ରମ ରେ ସି ଏ ଆର ଆଈ ର ଡକ୍ଟର ସୁସ୍ମିତା ପି ଓଟ୍ଟା ଯୋଗ ଦେଇ , କରୋନରୁ କିପରି ସେମାନେ ସୁରକ୍ଷିତ ରହି ପାରିବେ ସେ ବିଷୟରେ ପରାମର୍ଶ ଦେଇଥିଲେ | ମେଜର ଡ଼ଃ କଳ୍ପନା ଦାସ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆମେ ସମସ୍ତେ ସମାଜରୁ ସବୁକିଛି ପାଇଥାଉ ତେଣୁ ପ୍ରତିଦାନ ରେ ଭେଦଭାବ ନକରି ଅନ୍ୟର ସେବା କରିବା ଆମର କର୍ତ୍ତବ୍ୟ। ଜୀବିକା ପାଇଁ କିନ୍ନର ସମ୍ପ୍ରଦାୟ ନିଜର ଭରଣ ପୋଷଣ ପାଇଁ ଆର୍ଥିକ ସାହାଯ୍ୟ ମାଗି ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତି | କିନ୍ତୁ ମହାମାରୀ କରୋନା ପ୍ରଭାବ ହେତୁ ସେମାନଙ୍କର ଆୟ ବହୁତ ହ୍ରାସ ପାଇଛି ଏବଂ ସେମାନଙ୍କ ଜୀବିକା ବିପଦରେ ଅଛି | କିନ୍ନର ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ତାଲିମ ପ୍ରଦାନ କଲେ ସେମାନେ ଅନ୍ୟ ପୁରୁଷ ଓ ମହିଳା ମାନଙ୍କ ଭଳି ଆତ୍ମ ନିର୍ଭରଶୀଳ ହୋଇପାରିବେ ବୋଲି ମତ ଦେଇଥିଲେ ।ପ୍ରାୟ ପଚାଶଜଣ କିନ୍ନର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେI ସଡ଼କ ସୁରକ୍ଷା ମାସ ପାଳନ ଅବସରରେ ସଡ଼କ ସୁରକ୍ଷାର ମାଷ୍ଟର ଟ୍ରେନର ଶ୍ରୀଯୁକ୍ତ ଲକ୍ଷ୍ମଣ ସ୍ବାଇଁ ଯୋଗଦେଇ ସେମାନଙ୍କୁ ଗୁଡ଼ ସମାରିଟାନ ନିୟମ ବୁଝେଇବା ସହ କିଛି ଜୀବନ ରକ୍ଷକ କୌଶଳ ବିଷୟରେ ବୁଝେଇଥିଲେ | କିନ୍ନର ମାନେ ପ୍ରାୟତଃ ଟ୍ରେନ, ବସଷ୍ଟାଣ୍ଡ, ଜାତୀୟ ସଡ଼କ , ରାଜ୍ୟ ସଡ଼କ ଇତ୍ୟାଦିରେ ଛିଡା ରହି ଅନ୍ୟ ମାନଙ୍କୁ ସହାୟତା ମାଗି ଜୀବିକା ନିର୍ବାହ କରନ୍ତି I ଏହି ଜୀବନ ସୁରକ୍ଷା କୌଶଳ ଦ୍ଵାରା କିନ୍ନର ମାନେ ଜଣେ ଗୁଡ ସମାରିଟାନ ହୋଇ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ଲୋକ ମାନଙ୍କ ଜୀବନ ବଞ୍ଚେଇବା ସହ ନିଜପାଇଁ ସମ୍ମାନ ସାଉଁଟି ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରି ପାରିବେ ବୋଲି ଶ୍ରୀଯୁକ୍ତ ସ୍ବାଇଁ ମତ ରଖିଥିଲେ I ଏହି କାର୍ଯକ୍ରମରେ ଡ଼ଃ ବଦ୍ରି ନାଥ ମିଶ୍ର ମୁଖ୍ୟ ଅତିଥି ଏବଂ ଶ୍ରୀ ଲାଲାଟେନ୍ଦୁ ମିଶ୍ର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଏହି କାର୍ଯକ୍ରମରେ ଏନଜିଓ ମଦର ର ସଚିବ ଶ୍ରୀମତୀ ସସ୍ମିତା ଦାଶ ଓ ସାମ୍ବାଦିକ ବିକ୍ରମ କେଶରୀ ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ କିନ୍ନର ମାନଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଇନର୍ ହ୍ୱିଲ୍ କ୍ଲବ ର ସଭାପତି ଶ୍ରୀମତୀ ରୋଜି ଦତ୍ତା ମହାପାତ୍ର ଯୋଗ ଦେଇ ସେମାନଙ୍କୁ ଫେସ ଶିଲ୍ଡ ବଣ୍ଟନ କରିଥିଲେ | ସି ଡବ୍ଲୁ ଡି ଏସ ର ଜିଲ୍ଲା ମୁଖ୍ୟ ଶ୍ରୀ କମଲ କୁମାର ଦାଶ ଏହି କାର୍ଯକ୍ରମକୁ କୁ ସଂଯୋଜନା କରିଥିଲେ। ଡକ୍ଟର ରବି ଶଙ୍କର ମିଶ୍ର ଧନ୍ୟବାଦ ଭୋଟ ପ୍ରସ୍ତାବ ଦେଇଛନ୍ତି। ହିମାଦ୍ରୀ ନାୟକ, ଅଭିଜିତ୍ ପଣ୍ଡା, ପ୍ରକାଶ ପରିଡା, ଚନ୍ଦନ ନାହକ ଓ ହରପ୍ରିୟା ନନ୍ଦଙ୍କ ପରି ଅନେକ ସ୍ବେଚ୍ଛାସେବୀ ବିତରଣ କାର୍ଯ୍ୟରେ ସାହାଯ୍ୟ କରିଥିଲେ |