-
ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦିତା
ସାଲେପୁର, ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡିର ଗଡ କୁହାଯାଉଥିବା ୨୭ ନଂ ଜିଲ୍ଲାପରିଷଦ ଜୋନ୍ ରେ ବିଜେଡି ପ୍ରାର୍ଥୀ ସବୁକ୍ଷେତ୍ରରେ ଆଗୁଆ ରହିଥିବା ଜଣାଯାଇଛି । ନିର୍ବାଚନ ପାଖେଇ ଆସୁଥିଲା ବେଳେ ଏହି ଜୋନ୍ ରେ ବିଜେପି ଓ କଂଗ୍ରେସ ଦଳର ପ୍ରାର୍ଥୀ ବିଜେଡି ପ୍ରାର୍ଥୀଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବା ପାଇଁ ଯୋରଦାର ଉଦ୍ୟମ ଜାରୀ ରଖିଛନ୍ତି । ଯଦି ଏହି ଜୋନର ବିଭିନ୍ନ ପଂଚାୟତରେ ଅସନ୍ତୁଷ୍ଟ ବିଜେଡି ସମର୍ଥକମାନେ ଦଳ ବିରୋଧି କାର୍ଯ୍ୟ କରିବେ ତାହାହେଲେ ଏଠାରେ ନିଶ୍ଚିନ୍ତ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା ହେବ ବୋଲି ରାଜନୈତିକ ବିଶାରଦମାନେ ମତ ପ୍ରକାଶ କରିଛନ୍ତି । ଏହି ଜୋନ୍ ରେ ନରେନ୍ଦ୍ରପୁର, ଝାଡେଶ୍ୱରପୁର, ବନ୍ଧକାଟିଆ, ନଗସପୁର, ଦାଉଦପୁର, ଜମରା ,ଓରତି, କେରିଲୋ ଓ ତରତଶାସନ ମୋଟ୍ ୭ ଟି ପଂଚାୟତର ୧୩୫ ୱାର୍ଡକୁ ନେଇ ଗଠିତ । ଏଠାରେ ଭୋଟରଙ୍କ ସଂଖ୍ୟା ୩୮,୨୨୬ ରହିଥିବା ବେଳେ ୨୦୧୭ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଗୀତାଞ୍ଜଳୀ ପଣ୍ଡା ୪୩୨୮ ଖଣ୍ଡ ଭୋଟରେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଥିଲେ । ଏଥର ବିଜୁ ଜନତା ଦଳ ପକ୍ଷରୁ ଓରତି ଗ୍ରାମପଂଚାୟତର ଯୁବ ସରପଂଚ ଭୂପତି ଭୂଷଣ ଷଣ୍ଢଙ୍କୁ ପ୍ରାର୍ଥୀ କରାଯାଇଛି । ସେ ପାଞ୍ଚ ବର୍ଷ ସରପଂଚ ରହି ବହୁ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲା ବେଳେ ବେଶ୍ ଲୋକ ପରିଚିତ ହୋଇଛନ୍ତି । ସେହିପରି ବିଜେପି ପକ୍ଷରୁ ଏଥର ନୂତନ ଭାବେ ଦେବଦତ୍ତ କରଙ୍କୁ ପ୍ରାର୍ଥୀ କରାଯାଇଅଛି । ଶ୍ରୀ କର ଅସୁରେଶ୍ୱର ସୁଭଦ୍ରା ମହତାବ ମହାବିଦ୍ୟାଳୟରେ ଛାତ୍ର ନେତା ଭାବେ କାର୍ଯ୍ୟ କରି ବହୁ ଦିନ ହେବ ବିଜେପିରେ ଯୋଗଦେଇ ରାଜନୀତିରେ ରହିଛନ୍ତି । ସେ ଜଣେ ଯୁବ ପ୍ରାର୍ଥୀ ହୋଇଥିବାରୁ ଭୋଟରମାନେ ତାଙ୍କ ପ୍ରତି ଆକୃଷ୍ଟ ହୋଇଥିବା ଜଣାଯାଇଛି । ସେହିପରି କଂଗ୍ରେସ ଦଳ ତରଫରୁ ଜମରା ପଂଚାୟତର ଯୁବ ଇଂଜିନିୟର କାମାକ୍ଷାପ୍ରସାଦ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଅଛି । ଶ୍ରୀ ମହାନ୍ତି ମଧ୍ୟ ଏଥର ନୂଆ କରି ପ୍ରାର୍ଥୀ ହୋଇଥିବାରୁ ବିଜୟର ଆଶା ନେଇ ଭୋଟରମାନଙ୍କ ପାଖକୁ ଯାଉଥିବା ଜଣାଯାଇଛି । ତେବେ ଏହି ଜୋନ୍ ରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ରଙ୍କ ଦବଦବା ଥିବା ବେଳେ ତାଙ୍କ କର୍ମୀଙ୍କୁ ପ୍ରାର୍ଥୀ ଓ ଦଳୀୟ ନେତାମାନେ ଅଣଦେଖା କରୁଥିବାରୁ ଏହି କର୍ମୀମାନେ କି ଭୂମିକା ଗ୍ରହଣ କରିବେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।