
-
୪ ମୃତ, ୪ ଗୁରୁତର
କନ୍ଧମାଳ, ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଲାହାବାଡି ବୁଲାଣି ରାସ୍ତାରେ ଘଟିଛି । ଫଳରେ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକର ଫୁଲବାଣୀ ମେଡ଼ିକାଲରେ ମୃତ୍ୟୁହୋଇଥବା ସୂଚନା ମିଳିଛି । ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି ।
ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବଇଡା ନିକଟସ୍ଥ ଲାହାବାଡି ବୁଲାଣି ରାସ୍ତାରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଏକ ମାରୁତି ଓମିନି ଭ୍ୟାନରେ ୮ ଜଣ ବସି ତାଳପଡା ଗ୍ରାମରୁ ଭୋଜି ଖାଇ ରାତିରେ ଫେରୁଥିବା ବେଳେ ଫୁଲବାଣୀ -ବ୍ରହ୍ମପୁର ରାସ୍ତାର ବଇଡା ନିକଟ ଲାହାବାଡି ଠାରେ ରାସ୍ତା ଉପରେ ଛିଡା ହୋଇଥିବା ଏକ ଟ୍ରକ୍ ପଛରେ କାର୍ ଟି ଧକ୍କା ଦେଇଥିଲା । ଫଳରେ ଏଥିରେ ବସିଥିବା ୪ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଚାରି ଜଣ ଗୁରୁତର ଆହାତ ହୋଇଥିଲେ । ଘଟଣାସ୍ଥଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା ।ମୃତକ ମାନେ ସମସ୍ତେ ଗୁମାଗଡ଼ ନିକଟ ବାଡିସୁଗା ଓ ଶଙ୍କରାଖୋଲ ଗ୍ରାମର ବୋଲି ଜଣାପଡିଛି । ମୃତକ ମାନେ ହେଲେ ରୋଜାଲିନ ଡିଗାଲ, ଭଗିଆ ଡିଗାଲ, ଡ୍ରାଇଭର ଦୀପ୍ତି ରଞ୍ଜନ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ମିଶ୍ର ବୋଲି ଜଣାପଡିଛି । ଖବର ପାଇ ସଦର ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରକ୍ ଓ କାର୍ କୁ ଜବତ କରିବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି । ଗୁରୁତର ଚାରି ଜଣଙ୍କୁ ପ୍ରଥମେ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଅଧିକ ଚିକିତ୍ସା ନିମନ୍ତେ ସମସ୍ତଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।