ସାଲେପୁର, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଳକର ୨ ନଂ ତଥା କଟକ ଜିଲ୍ଲାପରିଷଦର ୨୫ ନଂ ଜୋନ୍ ରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି । ଏହି ଜୋନ୍ ରେ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନଙ୍କର ତତ୍ପରତା ବଢୁଥିବା ବେଳେ ଭୋଟରମାନଙ୍କର ନୀରବତା ରାଜନୈତିକ ନେତାମାନଙ୍କୁ ଆଶଙ୍କାରେ ପକାଇଛି । ଏହି ଜୋନ୍ ରେ କଟକ ସଦର ନିର୍ବାଚନ ମଣ୍ଡଳୀର ନେମାଳ, ତିଳକଣା, ସାନ୍ତପୁର, ବନ୍ଧୁପୁର, ପାଳଦା, ଜନାର୍ଦ୍ଦନପୁର, କଳମିଶ୍ରି ଆଦି ୭ ଟି ପଂଚାୟତ ରହିଥିବା ବେଳେ ମାହାଙ୍ଗା ନିର୍ବାଚନ ମଣ୍ଡଳୀର କେନ୍ଦୁପାଟଣା ଓ କୋଲଣପୁର ୨ ଟି ପଂଚାୟତ ମୋଟ୍ ୯ ଟି ପଂଚାୟତ ରହିଛି । ଏହି ୯ ଟି ପଂଚାୟତରେ ମୋଟ୍ ଭୋଟର ସଂଖ୍ୟା ୩୦,୨୩୨ ରହିଥିବା ବେଳେ ଗତ ୨୦୧୭ ନିର୍ବାଚନରେ ଏହି ଜୋନ୍ ରୁ ବିଜେଡି ପ୍ରାର୍ଥୀ ସୁଭଦ୍ରା ଦାସ ୨୨୨୫ ଖଣ୍ଡ ଭୋଟରେ ବିଜୟ ଲାଭ କରିଥିଲେ । ବିଜେପି ପ୍ରାର୍ଥୀ ମଧ୍ୟ ଏହି ଜୋନ୍ ରୁ ୧୦ ହଜାରରୁ ଉର୍ଦ୍ଧ୍ବ ଭୋଟ ପାଇଥିଲେ । ହେଲେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢେଇ ହେବାର ବହୁ ସମ୍ଭାବନା ଦେଖାଦେଇଛି । ଯଦିଓ କଂଗ୍ରେସ ଦଳର କୌଣସି ମୁଣ୍ଡିଆଳ ନେତା ଏହି ଜୋନ୍ ରେ ନାହାଁନ୍ତି ତଥାପି କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜଣେ ଦିନମଜୁରୀଆ କ୍ଷେତ୍ରବାସୀ ନାୟକଙ୍କ ଶିକ୍ଷିତ ପୁଅ ଦିବାକର ନାୟକଙ୍କୁ ବହୁ ଭୋଟର ପସନ୍ଦ କରୁଥିବା ଜଣାଯାଇଛି । ବିଜେପି ପକ୍ଷରୁ ଜଣେ ପୁରୁଖା ରାଜନେତା ତଥା କଟକ ଜିଲ୍ଲା ବିଜେପି କମିଟିର ସଂପାଦକ ବିବେକାନନ୍ଦ ବେହେରା ପ୍ରାର୍ଥୀ ହୋଇଛନ୍ତି । ସେ କଂଗ୍ରେସ ସମର୍ଥନରେ ୧୯୯୭ ମସିହାରେ ଅବିଭକ୍ତ କେନ୍ଦୁପାଟଣା ପଂଚାୟତରେ ସରପଂଚ ଭାବେ ନିର୍ବାଚିତ ହୋଇଥିଲା ବେଳେ ୨୦୦୦ ରୁ ୨୦୧୨ ପର୍ଯ୍ୟନ୍ତ ୧୨ ବର୍ଷ କାଳ ବ୍ଳକ କଂଗ୍ରେସ କମିଟିର ସଭାପତି, ପରବର୍ତ୍ତୀ ସମୟରେ ୨୦୧୨ ରୁ ୨୦୧୫ ତିନି ବର୍ଷ ଧରି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସଂପାଦକ ଏବଂ ୧୯୮୨ ରୁ ୧୯୮୯ ପର୍ଯ୍ୟନ୍ତ ୭ ବର୍ଷ ଧରି କେନ୍ଦୁପାଟଣା ନିୟନ୍ତ୍ରୀତ ବଜାର କମିଟିର ଉପାଧ୍ୟକ୍ଷ ଭାବେ ରହି ବହୁ ଉନ୍ନୟନମୂଳକ କାର୍ଯ୍ୟକ୍ରମ କରି ବେଶ୍ ଲୋକପ୍ରିୟତା ଅର୍ଜନ କରିଛନ୍ତି । ଶ୍ରୀ ବେହେରା ୨୦୧୮ ମସିହାରେ ବିଜେପିରେ ଯୋଗଦେଇ ଶାରଦା ପ୍ରଧାନ ଓ ଦିଲ୍ଲୀପ ମଲ୍ଲିକଙ୍କ ନେତୃତ୍ୱରେ ସକ୍ରିୟ ରାଜନୀତିରେ ରହିଥିବାରୁ ଏହି ଜୋନ୍ ରୁ ସେ ବିଜୟଲାଭ କରିବା ପାଇଁ ଆଶା ରଖିଛନ୍ତି । ସେହିପରି ଏହି ଜୋନ୍ ରେ ବିଜେଡି ଦଳରୁ ଜଣେ ଯୁବ ଇଂଜିନିୟର ବିଳାସ ଚନ୍ଦ୍ର ଭୋଇ ନୂତନ ଭାବେ ରାଜନୀତିରେ ପ୍ରବେଶ କରି ପ୍ରାର୍ଥୀ ହୋଇଛନ୍ତି । ଶ୍ରୀ ଭୋଇ ଛାତ୍ର ଜୀବନରୁ ବିଜେଡି ରାଜନୀତିରେ ସଂପୃକ୍ତି ହୋଇ ଏ ଅଂଚଳର ଲୋକମାନଙ୍କର ସୁଖ ଦୁଃଖରେ ସହଭାଗିତା ହୋଇଥିବାରୁ ନବୀନ ସରକାରଙ୍କର ବିଭିନ୍ନ ଜନହିତକର ଯୋଜନା ସଂକ୍ରାନ୍ତରେ ଲୋକଙ୍କୁ ଅବଗତ କରାଇ ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଆଶା ରଖିଛନ୍ତି ।
Related Stories
November 22, 2024