କନ୍ଧମାଳ, କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ସ୍ଥିତ ମୁଖ୍ୟ କାରାଗାରର ଜଣେ କଏଦୀ ଅସୁସ୍ଥ ହୋଇ ମେଡ଼ିକାଲରେ ଭର୍ତି ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ନାମ କାହ୍ନୁ ଚରଣ ପ୍ରଧାନ । ସେ ୨୦୧୬ ମସିହା ଜୁଲାଇ ୧୦ ତାରିଖରେ ଦାରିଙ୍ଗବାଡ଼ି ବ୍ଲକର କିରାମାହା ଠାରେ ଘଟିଯାଇଥିବା ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ରେ ସଜା କାଟୁଥିଲେ । ଏବଂ ଜେଲ୍ ରେ ଥିବା ବେଳେ ୨୦୧୮ ଡିସେମ୍ବର ୧ ତାରିଖରେ କାରାଗାର ମଧ୍ୟରେ ଥିବା ଅନ୍ୟଜଣେ କଏଦୀଙ୍କୁ ମଧ୍ୟ ସେ ହତ୍ୟା କରିଥିଲେ । ଗତକାଲି ଅପରାହ୍ନରେ କଏଦୀ କାହ୍ନୁଙ୍କ ଦେହ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ଜେଲ୍ ଡାକ୍ତର କାରାଗାରରେ ଚିକିତ୍ସା କରୁଥିଲେ । ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ନହେବାରୁ ଗତକାଲି ସଂନ୍ଧ୍ୟା ସମୟରେ ତାଙ୍କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ଆଜି ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ମୃତ କଏଦୀଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।