
-
ଉଭୟ ଦାରିଙ୍ଗବାଡି ଓ ଫୁଲବାଣୀରେ ତାପମାତ୍ରା ୭ ଡିଗ୍ରୀ
କନ୍ଧମାଳ, ରାଜ୍ୟରେ ବାରମ୍ବାର ପାଣିପାଗର ମିଜାଜ ବଦଳିବା ଯୋଗୁଁ ଶୀତ ଓ ବର୍ଷାର ଲୁଚକାଳି ଖେଳ ଚାଲିଥିଲା । ବର୍ତ୍ତମାନ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ପ୍ରକାରେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ ଏବଂ ରାତିର ତାପମାତ୍ରା ସାମାନ୍ୟ କମିବ ବୋଲି ଆକଳନ ହୋଇଛି । ଏଭଳି ସ୍ଥିତିରେ ଦୁଇଦିନ ହେବ କନ୍ଧମାଳ ଜିଲ୍ଲାରେ ରାତିର ତାପମାତ୍ରା ହ୍ରାସ ପାଇବା ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ଶୀତ ବଢ଼ିଥିବା ଜଣାପଡ଼ିଛି ।
ଜିଲ୍ଲା ପାଣିପାଗ ବିଭାଗର ସୂଚନା ଅନୁସାରେ, ଗତକାଲି ଜିଲ୍ଲାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ ଓ ଦାରିଙ୍ଗବାଡିରେ ୯ ଡିଗ୍ରୀ ଥିବାବେଳେ ଆଜି ଉଭୟ ଯାଗାରେ ତାପମାତ୍ରା ୭ ଡିଗ୍ରୀ ରହିଛି । ଏହାର ପ୍ରଭାବରେ ଜିଲ୍ଲାର ଫୁଲବାଣୀ ଓ ଦାରିଙ୍ଗବାଡି ସମେତ ବାଲିଗୁଡ଼ା, କ.ନୁଆଗାଁ, ତୁମୁଡ଼ିବନ୍ଧ, ବେଲଘର, କୋଟଗଡ଼ ଆଦି ଅଞ୍ଚଳରେ ଶୀତର ପ୍ରକୋପ ବଢ଼ିଥିବା ବେଳେ ଦୀର୍ଘଦିନ ପରେ ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ତେବେ ପୁଣିଥରେ ହଠାତ୍ ପ୍ରବଳ ଥଣ୍ଡା କାରଣରୁ ଗ୍ରାମାଞ୍ଚଳରେ ଦିନ ମଜୁରିଆଙ୍କର ଦୁଃଖ ବଢିଯାଇଛି । ଅସହ୍ୟ ଥଣ୍ଡା ପାଇଁ ବୃଦ୍ଧ ବୃଦ୍ଧାଙ୍କ ସାହାରା ପାଲଟିଛି ନିଆଁ । ସେହିପରି ଦିନ ତମାମ କୋହଲା ପବନ ବହୁଥିବାରୁ ଦିନରେ ମଧ୍ୟ ଶୀତ ଅନୁଭୂତ ହେଉଛି । ଏଥିସହିତ ବିଭିନ୍ନ ଅଞ୍ଚଳରେ ସ୍ବଳ୍ପରୁ ମଧ୍ୟମ ଧରଣର କୁହୁଡ଼ି ହେଉଥିବା ଦେଖିବାକୁ ମିଳୁଛି ।