
ଭୁବନେଶ୍ୱର, ଏନଜିଓ (ବେସରକାରୀ ସଂସ୍ଥା)ମାନେ ପକ୍ଷଭୁକ୍ତ ହୋଇ କୈାଣସି ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ପାଇଁ ପ୍ରଚାର କରିବା ଆଇନ ବିରୋଧୀ ଏବଂ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ । ଶାସନ କ୍ଷମତାର ଅପବ୍ୟବହାର କରି ସରକାରୀ କର୍ମଚାରୀମାନଙ୍କୁ ଦଳୀୟ ପ୍ରଚାର କାର୍ଯ୍ୟରେ ନିୟୋଜିତ କରୁଥିବା ଶାସକ ବିଜୁ ଜନତା ଦଳ ବର୍ତମାନ ବିଭିନ୍ନ ଏନଜିଓ ଜରିଆରେ ଭୋଟରମାନଙ୍କୁ ପ୍ରଭାବିତ କରୁଛି । ସେହିପରି ନିର୍ବାଚନ ସମୟରେ କୈାଣସି ପ୍ରକାରର ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯିବା ଉପରେ ରୋକ ଥିବା ସତ୍ୱେ ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିବା ସଂପୂର୍ଣ୍ଣ ଆଇନ ବିରୋଧୀ ଏବଂ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ଏହା ପରେ ମଧ୍ୟ ଶାସକ ବିଜେଡିର ବିଧାୟକ ଏବଂ ତାଙ୍କ ସଂପର୍କୀୟମାନେ ଭୋଟରମାନଙ୍କୁ ଅର୍ଥଲୋଭ ଦେଇ ପ୍ରଭାବିତ କରିବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ସୁସ୍ଥ ଗଣତନ୍ତ୍ର ପ୍ରତି କୁଠାରଘାତ । କ୍ଷମତାକୁ ଜାବୁଡି ଧରିବା ପାଇଁ ଏଭଳି ଆଇନବିରୋଧୀ ଓ ଗଣତନ୍ତ୍ରବିରୋଧୀ କାର୍ଯ୍ୟ କରି ଭୋଟରମାନଙ୍କୁ ପ୍ରବଂଚନା କରିବା ଶାସକ ବିଜେଡିର ଅଭ୍ୟାସ । ରାଜ୍ୟ ନିର୍ବାଚନ କମିଶନ ଶାସକ ବିଜେଡିର ଏଭଳି ଆଇନବିରୋଧୀ ଓ ଅଗଣତାନ୍ତ୍ରିକ କାର୍ଯ୍ୟ ଉପରେ ରୋକ ଲଗାଇବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତୀୟ ଜନତା ପାର୍ଟି ତରଫରୁ ଦାବୀ କରାଯାଇଛି ।
ଡି.ଜଗନ୍ନାଥ ରାଜୁଙ୍କ ଦ୍ୱାରା ପରିଚାଳିତ ଏସଡବ୍ଲଡବ୍ଲୁଏସ୍ ନାମକ ବେସରକାରୀ ସଂସ୍ଥା ଏବଂ ପୃଥ୍ୱିରାଜ ଖିଲାରଙ୍କ ଦ୍ୱାରା ପରିଚାଳିତ ଏସଟିଇପି ନାମକ ବେସରକାରୀ ସଂସ୍ଥା ଗଜପତି ଜିଲ୍ଲା ବ୍ୟାପୀ ଶାସକ ବିଜେଡି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କାର୍ଯ୍ୟ କରୁଛି । ଜିଲ୍ଲାର ଗ୍ରାମାଂଚଳରେ ଏସଏଚଜି ଜରିଆରେ ୨୦ରୁ ୫୦ ହଜାର ଟଙ୍କା ବଂଟନ କରି ଭୋଟରମାନଙ୍କୁ ଶାସକ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ପ୍ରଭାବିତ କରୁଛନ୍ତି ।
ନିର୍ବାଚନ ସମୟରେ କୈାଣସି ପ୍ରକାରର ନିଯୁକ୍ତି ବିଜ୍ଞାପନ ପ୍ରକାଶ କରାଯିବା ଉପରେ ରୋକ ଥିବା ସତ୍ୱେ ଖଲିକୋଟ ୟୁନିଟାରୀ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଗତ ୧ ତାରିଖ ଦିନ ଗେଷ୍ଟ ଫେକଲ୍ଟି ପଦବୀ ନିଯୁକ୍ତି ପାଇଁ ବିଜ୍ଞାପନ ଜାରୀ କରିଛନ୍ତି । ସେହିପରି ଖଲିକୋଟ ବିଧାୟିକାଙ୍କ ସ୍ୱାମୀ ଝାଡବନ୍ଦ ଗ୍ରାମ ପଂଚାୟତରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେଲେ ଗ୍ରାମ ମଣ୍ଡପ ନିର୍ମାଣ ପାଇଁ ବିଧାୟକ ପାଂଠିରୁ ୩ ଲକ୍ଷ ଟଙ୍କା ଦେବେ ବୋଲି କହି ସ୍ଥାନୀୟବାସିନ୍ଦାଙ୍କୁ ପ୍ରଭାବିତ କରୁଛନ୍ତି ।
ରାଜ୍ୟରେ ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନକୁ ଅବାଧ, ଭୟମୁକ୍ତ ଏବଂ ନିରପେକ୍ଷ କରିବା ପାଇଁ ନିର୍ବାଚନ କମିଶନ ଆଇନ ଖିଲାପକାରୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଜନତା ପାର୍ଟି ଦାବୀ କରିଛି । ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଲିଗାଲ ସେଲ୍ର ରବିଶଂକର ପଟ୍ଟନାୟକ, ଜୟନ୍ତ ଜେନା ଓ ମହେନ୍ଦ୍ର ପ୍ରଧାନ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ରାଜ୍ୟ ସାମାଜିକ ସଂଗଠନ ପ୍ରକୋଷ୍ଟ ସଂଯୋଜକ ରଶ୍ମୀରଂଜନ କାନୁନଗୋ ପ୍ରମୁଖ ସାମିଲ ଥିଲେ ।