
-
ଭୋଟ୍ ବର୍ଜନ ପାଇଁ ଆହ୍ବାନ
କନ୍ଧମାଳ,ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ମାଓ ସଂଗଠନ କନ୍ଧମାଳ ଜିଲ୍ଲାରେ ଅଧିକରୁ ଅଧିକ କ୍ରିୟାଶୀଳ ହେଉଥିବା ଦେଖିବାକୁ ମିଳୁଛି । ରାଜ୍ୟ ପୋଲିସ୍ ମହାନିର୍ଦ୍ଦେଶକଙ୍କ କନ୍ଧମାଳ ଗସ୍ତର ପରଦିନ ଅର୍ଥାତ୍ ଆଜି ସକାଳେ ପୁଣି କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ରଡ଼ିଗୁମା ଅଞ୍ଚଳରେ ବାଂଶଧାରା ଘୁମୁସର ନାଗାବଳୀ ଡିଭିଜନର ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି । ବ୍ୟାନର ମାଧ୍ୟମରେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ୍ ବର୍ଜନ କରିବାକୁ ଜନସାଧାରଣଙ୍କୁ ଆହ୍ବାନ ଦେଇଛି ଲାଲ୍ ବାହିନୀ । ଏଥିସହିତ ବିପ୍ଳବୀ ଲୋକ ସରକାର ପ୍ରତିଷ୍ଠା କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି । ଦୁର୍ନୀତି, ଦରଦାମ୍ ବୃଦ୍ଧି, ବେରୋଜଗାର, ଦମନ, ବିସ୍ଥାପନ, ଜଙ୍ଗଲ ଜମିପଟ୍ଟା, ପେସା ଆଇନ୍ ଲାଗୁ, ମୌଳିକ ଅଧିକାର ଦାବି କରିଛି ବ୍ୟାନର ମାଧ୍ୟମରେ ଲାଲ୍ ବାହିନୀ ।
ଗତ କିଛିଦିନ ପୂର୍ବରୁ ତୁମୁଡ଼ିବନ୍ଧ ଥାନା ବେନାରବାହାଲ ଅଞ୍ଚଳରେ ମାଓ ପୋଷ୍ଟର ଜାରି ହୋଇଥିବା ବେଳେ ପରେ ଫିରିଙ୍ଗିଆ ଥାନା ଅଞ୍ଚଳରେ ରାସ୍ତା କାମକୁ ବିରୋଧ କରି ଲଙ୍କାକାଣ୍ଡ ଭିଆଇଥିଲେ ମାଓବାଦୀ । ରାସ୍ତା କାମରେ ନିୟୋଜିତ ହୋଇଥିବା ତ୍ରୀଶକ୍ତି ଠିକା ସଂସ୍ଥାର ତିନୋଟି ଗାଡ଼ି ପୋଡ଼ି ଦେଇଥିବାବେଳେ ଦିନକ ପରେ ବାଲିଗୁଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳର ସୁନାପାଙ୍ଗା, ପଣଷପଡ଼ି, ନୂଆସାହି ଭଳି ବିଭିନ୍ନ ସ୍ଥାନରେ କେକେବିଏନ୍ ମାଓ ସଂଗଠନ ପକ୍ଷରୁ ବ୍ୟାନର ଓ ପୋଷ୍ଟର ଜାରି ହୋଇଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ବାରମ୍ବାର ଏଭଳି ଘଟଣାକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି ।