ଭୁବନେଶ୍ୱର, ନିକଟରେ କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଞ୍ଜାବ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦବୀ ନିମନ୍ତେ ଚରଣଜିତ ସିଂ ଚନିଙ୍କ ନାମ ଘୋଷଣା କରି ଦଳିତବର୍ଗ ପ୍ରତି ଥିବା କଂଗ୍ରେସର ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି । ସେଥିନିମନ୍ତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହି ଘୋଷଣାକୁ ସ୍ୱାଗତ କରାଯାଇ ଶ୍ରୀ ଗାନ୍ଧୀଙ୍କୁ ଧନ୍ୟବାଦ ଦିଆଯାଇଛି । ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ଓ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିଷ୍ପତିକ୍ରମେ ଏହି ବାର୍ତାକୁ ଜନସାଧାରଣଙ୍କ ନିକଟରେ ପଂହଚାଇବାପାଇଁ ଆସନ୍ତା ୧୫ ତାରିଖରେ ନବରଙ୍ଗପୁର ଠାରେ ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, ଜନଜାତି ବିଭାଗ ଅଧ୍ୟକ୍ଷ ଭୁଜବଳ ମାଝୀ, ପଛୁଆବର୍ଗ ବିଭାଗ ଅଧ୍ୟକ୍ଷ ଜ୍ଞାନଦେବ ବେଉରା, ଓ ସଂଖ୍ୟାଲଘୁ ବିଭାଗ ଅଧ୍ୟକ୍ଷ ସେକ୍ ଜିଆଉଲ ହକଙ୍କ ତତ୍ୱାବଧାନରେ ଏକ ସମାବେଶ ଅନୁଷ୍ଠିତ ହେବ ।
ବିଜେପି ଓ ବିଜେଡ଼ି ଶାସନରେ ଅନୁସୂଚୀତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁଙ୍କ ବିକାଶ ଓ ସୁରକ୍ଷାକୁ ଉପେକ୍ଷା କରାଯାଉଛି । ନିଯୁକ୍ତି ଓ ପଦୋନ୍ନତି କ୍ଷେତ୍ରରେ ଉପରୋକ୍ତ ବର୍ଗର ଜନସାଧାରଣଙ୍କୁ କେତେ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯିବ ସେ ସଂପର୍କରେ କେନ୍ଦ୍ର ସରକାରଙ୍କ ତରଫରୁ ଦାୟର ହୋଇଥିବା କେସକୁ ଭାରତର ସର୍ବୋଚ୍ଚ ନ୍ୟାୟଳୟ ଏହାର ଅସଂଗତିକୁ ହୃଦୟଙ୍ଗମ କରି ଏ ସଂପର୍କରେ କୌଣସି ବାଛବିଚାର ନକରିବାକୁ ରାୟ ପ୍ରକାଶ କରିଥିଲେ । ସେଥିପାଇଁ ଏହି ରାୟକୁ ପିସିସି ଅନୁସୂଚୀତ ଜାତି ବିଭାଗ ପକ୍ଷରୁ ସ୍ୱାଗତ କରିବା ସହିତ ଉଚ୍ଚତମ୍ୟ ନ୍ୟାୟଳୟଙ୍କୁ ଧନ୍ୟବାଦ ଦିଆଯାଇଛି ଏବଂ ଏହି ରାୟକୁ ଠିକ୍ ଭାବରେ କାର୍ଯ୍ୟକାରୀ କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବାଙ୍କନିଧି ବେହେରା, ଜ୍ଞାନଦେବ ବେଉରା, ପିସିସି ସାଧାରଣ ସଂପାଦକ ଚିନ୍ମୟ ସୁନ୍ଦର ଦାସ ଓ ମୁଖପାତ୍ର ଅମିୟ ପାଣ୍ଡବ, ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ ।